ରାଜଧାନୀରେ ଥାର୍‌ ଆତଙ୍କ: ସ୍କୁଟିକୁ ଘୋଷାରି ଦୋକାନ ଭାଙ୍ଗିଲା

ଭୁବନେଶ୍ୱର,୨୦ା୧୦(ସତ୍ୟଜିତ ରାଉତ): ରାଜଧାନୀରେ ପୁଣି ଥାର୍‌ ଆତଙ୍କ ଦେଖିବାକୁ ମିଳିଛି। ଲକ୍ଷ୍ମୀସାଗର ଝାରପଡା କେନାଲ ରୋଡରେ ଏକ ଥାର୍‌ (ନଂ.ଓଡି୩୩ଏଟି୧୨୩୩) ଦ୍ରୁତଗତିରେ ଆସି ଦୁର୍ଘଟଣା ଘଟାଇଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଏକ ସ୍କୁଟି କ୍ଷତି ଗ୍ରସ୍ତ ହୋଇଛି।

ରାସ୍ତାରେ ପାର୍କିଂ ହୋଇଥିବା ସ୍କୁଟିକୁ ଥାର୍‌ ଘୋଷାରି ନେବା ସହ ଏକ ଝୁମ୍ପୁଡି ଦୋକାନକୁ ଭାଙ୍ଗି ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଥାର୍‌ଟି ଝାରପଡା କେନାଲ ରୋଡ ହୋଇ ବଡ଼ଗଡ କେନାଲ ରୋଡ ଅଭିମୁଖେ ଆସୁଥିଲା।

ଚାଳକ ଜଣକ ଝାରପଡା କେନାଲ ରୋଡରୁ ପାଣିଟାଙ୍କି ରୋଡ ଆଡକୁ ଗାଡିକୁ ବୁଲାଉଥିବା ବେଳେ ଭାରସାମ୍ୟ ହରାଇ ବସିଥିଲେ। ରାସ୍ତାରେ ଥିବା ସ୍କୁଟିକୁ ଘୋଷାରି ନେବା ସହ କେନାଲ ରାସ୍ତାରେ ଥିବା ଏକ ଛୋଟ ଦୋକାନ ଭିତରେ ପଶିଯାଇଥିଲା। ସୌଭାଗ୍ୟବଶଃତ ସ୍କୁଟି ଉପରେ କେହି ନ ଥିବା ବେଳେ ଉକ୍ତ ଦୋକାନ ମଧ୍ୟ ବନ୍ଦ ଥିଲା। ପାଲ ଓ ବାଉଁଶରେ ପ୍ରସ୍ତୁତ ଦୋକାନରେ କେହି ଜଳଖିଆ ବ୍ୟବସାୟ କରନ୍ତି ବୋଲି ଜଣାପଡିଛି। ଦୁର୍ଘଟଣା ବେଳେ ସ୍ଥାନୀୟ ଲୋକଙ୍କ ମନରେ ଭୟ ଖେଳିଯାଇଥିଲା। ଲକ୍ଷ୍ମାସାଗର ଥାନା ପୋଲିସ ଉକ୍ତ ଥାର୍‌କୁ ଜବତ କରି ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Share