ଚଣ୍ଡିଗଡ,୬।୨: ପଞ୍ଜାବ ବିଧାନସଭା ପୂର୍ବରୁ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରବିବାର ଘୋଷଣା କରିଛି। ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦଳର ନେତା ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। ଏହା ପରେ ଚନ୍ନି କଂଗ୍ରେସ ହାଇକମାଣ୍ଡ ଏବଂ ପଞ୍ଜାବର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ମୋତେ ବିଶ୍ୱାସ କରିଥିବାରୁ ମୁଁ କଂଗ୍ରେସ ହାଇକମାଣ୍ଡ ଏବଂ ପଞ୍ଜାବର ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି। ଯେହେତୁ ଆପଣ ଗତ ୧୧୧ ଦିନ ମଧ୍ୟରେ ପଞ୍ଜାବକୁ ଆଗକୁ ନେବା ପାଇଁ ଆମକୁ ଏତେ ପରିଶ୍ରମ କରୁଥିବା ଦେଖିଛନ୍ତି, ପଞ୍ଜାବକୁ ପ୍ରଗତି ପଥରେ ଆଗେଇ ନେବାକୁ ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି।
କଂଗ୍ରେସ ଦ୍ୱାରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ବେଳେ ଦଳର ନେତା ନବଜୋତ ସିଂ ସିଦ୍ଧୁ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ଚନ୍ନି ଉଠି ସିଦ୍ଧୁଙ୍କୁ କୋଳାଗ୍ରତ କରିଥିଲେ। ସିଦ୍ଧୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ଥିଲେ। କିନ୍ତୁ ହାଇକମାଣ୍ଡ ଚନ୍ନିଙ୍କ ଉପରେ ଭରସା କରିଛନ୍ତି।