ଭବାନୀପାଟଣା, ୨୪ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ଏବେ ମରୀଚିକା ପାଲଟିଛି। ସମଗ୍ର ଓଡିଶାରେ କଳାହାଣ୍ଡି ଜିଲା କପା ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଥିବାବେଳେ ରାଜନେତାମାନେ ବିଭିନ୍ନ ମଞ୍ଚରେ କଳାହାଣ୍ଡିରେ ଟେକ୍ସଟାଇଲ ପାର୍କ ସ୍ଥାପନ ହେବ ବୋଲି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହାର କାର୍ଯ୍ୟକାରୀ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲାରେ ବର୍ଷକୁ ପ୍ରାୟ ୧୨ ଲକ୍ଷରୁ ଊଦ୍ଧର୍ବ ମେଟ୍ରିକଟନ କପା ଉତ୍ପାଦନ ହେଉଛି। ଜିଲାର କପା ଏସିଆର ଉତ୍କୃଷ୍ଟତମ ହୋଇଥିବା ଯୋଗୁ ବିଦେଶରେ ଏହାର ଚାହିଦା ରହିଛି। ଜିଲାର ଜୁନାଗଡ ରେଳଷ୍ଟେଶନରୁ ବାଂଲାଦେଶକୁ ମଧ୍ୟ କପା ରପ୍ତାନୀ ହୋଇଥିଲା। ସେହିପରି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ରାଜ୍ୟକୁ କପା ରପ୍ତାନୀ ହୋଇଥାଏ। ତାମିଲନାଡୁର ଇରୋଡରେ ଥିବା ଜିନିଂ ଓ ସ୍ପିନିଂ ମିଲ ଦ୍ବାରା କପା ପ୍ରକ୍ରିୟାକରଣ ହୋଇ ବିଦେଶକୁ ରପ୍ତାନୀ ହୋଇଥାଏ। କପା ଅଧିକ ଉତ୍ପାଦନ ସତ୍ତ୍ବେ ଭିତ୍ତିଭୂମି ଅଭାବ ଓ କୋଣସି ସରକାରୀ ଜିନିଂ ଓ ସ୍ପିନିଂ ମିଲ ଚାଲୁ ନ ଥିବାରୁ ଏହାର ପ୍ରକ୍ରିୟାକରଣ ହୋଇପାରୁନାହିଁ। ବିଭିନ୍ନ ସମୟରେ କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ସ୍ଥାପନ ପାଇଁ ରାଜନେତାମାନେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହା ମରୀଚିକା ପାଲଟିଛି। ଏପରି କି ଗତ କଳାହାଣ୍ଡି ଉତ୍ସବ ବେଳେ ମୁଖ୍ୟମନ୍ତ୍ରୀ ଆସିଥିବାବେଳେ ଜିଲାରେ କଟନ ହବ ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲାରେ ୧୨୧ଟି ପରିବାର ବୁଣାକାର ବୃତ୍ତିରେ ଥିବାବେଳେ ସେମାନଙ୍କ ପାଇଁ ମଧ୍ୟ କୋଣସି ସରକାରୀ ସହଯୋଗ ମିଳିପାରୁନାହିଁ। ଏପରି କି ଏକ ଘରୋଇ ସଂସ୍ଥା ତିଳୋତ୍ତମା ମାଧ୍ୟମରେ ହାବସପୁରୀ ପାଟ ହବ ନିର୍ମାଣ ପାଇଁ ୧୦ ଏକର ଜମି ଜୁନାଗଡ ବ୍ଲକ ଚିଚେଗୁଡା ଛକ ନିକଟରେ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ମୌଖିକ ଭାବରେ ୩ ଏକର ଜମି ଚିହ୍ନଟ ହୋଇଥିଲେ ବି ହସ୍ତାନ୍ତର ହୋଇନାହିଁ ବୋଲି କମ୍ପାନୀର ମୁଖ୍ୟ ଅର୍ନ୍ତଜାତୀୟ ଫ୍ୟାଶନ ଡିଜାଇନର ସୁଜିତ ମେହେର ସୂଚନା ଦେଇଛନ୍ତି। ଜିଲାର କେସିଙ୍ଗାଠାରେ ଥିବା ଜିନିଂ ମିଲ କିଛିଦିନ ଆରମ୍ଭ ହୋଇଥିବାବେଳେ ଗତ ୪ବର୍ଷ ଧରି ବନ୍ଦ ହୋଇପଡିଛି। ଏପରିକି ସ୍ପିନିଂ ମିଲ ମଧ୍ୟ ଆରମ୍ଭ ହୋଇପାରିଲା ନାହିଁ। ରାଜ୍ୟ ସରକାର ଜିଲାରେ ଟେକ୍ସଟାଇଲ ପାର୍କ ସ୍ଥାପନ ନ କଲେ ଜିଲାର କଞ୍ଚାମାଲ ରାଜ୍ୟ ବାହାରକୁ ଯାଇ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ହେବ ସିନା, ଜିଲାର ବେକାର ଯୁବକ ଯୁବତୀ କର୍ମନିୟୋଜନରୁ ବଞ୍ଚତ୍ତ ହେବା ସହ କପାଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବେ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।