New Zealand players celebrate after winning day four of the second international cricket Test match between New Zealand and Pakistan at Hagley Oval in Christchurch on January 6, 2021. (Photo by Marty MELVILLE / AFP) (Photo by MARTY MELVILLE/AFP via Getty Images)
ଖ୍ରୀଷ୍ଟଚର୍ଚ୍ଚ, ୭।୧(ଏପି): ଯୁବ ଦ୍ରୁତ ବୋଲର କାଇଲ ଜେମିସନଙ୍କ ଅସାଧାରଣ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ସ୍ଥାନୀୟ ହାଗଲି ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ପାକିସ୍ତାନକୁ ବୁଧବାର ଏକ ଇନିଂସ ଓ ୧୭୬ ରନରେ ପରାସ୍ତ କରିଛି। ଫଳରେ ଦୁଇ ମ୍ୟାଚବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ କ୍ଲିନ୍ ସୁଇପ୍ କରିଛି। ନ୍ୟୁଜିଲାଣ୍ଡ ଏଥିସହିତ ଚଳିତ ଗ୍ରୀଷ୍ମରେ କ୍ରମାଗତ ଦୁଇଟି ଟେଷ୍ଟ ସିରିଜରେ କ୍ଲିନ୍ ସୁଇପ୍ କରିଛି ଓ ୪ଟି ଟେଷ୍ଟରେ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହାସଲ କରିଥିବା ଜେମିସନ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସିରିଜରେ ଦମ୍ଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି। ଗତ ୬ଟି ଟେଷ୍ଟରେ ଏହା ଜେମିସନଙ୍କ ଚତୁର୍ଥ ୫ ଉଇକେଟ ସଫଳତା ସାବ୍ୟସ୍ତ ହୋଇଛି।
ଟସ୍ ହାରି ପାକିସ୍ତାନ ପ୍ରଥମ ଇନିଂସରେ ଲଢୁଆ ପ୍ରଦର୍ଶନ କରି ୮୩.୫ ଓଭରରେ ୨୯୭ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଓ୍ବିଲିୟମସନଙ୍କ ୨୩୮ ରନର ଦ୍ୱିଶତକୀୟ ଇନିଂସ, ହେନେରୀ ନିକୋଲ୍ସଙ୍କ ୧୫୭ ଓ ଡାରିଲ ମିଚେଲଙ୍କ ଅପରାଜିତ ୧୦୨ ରନର ଶତକୀୟ ପାଳି ବଳରେ ୧୫୮.୫ ଓଭରରେ ୬ ଉଇକେଟ ହରାଇ ୬୫୯ ରନ ସଂଗ୍ରହ କରିଥିଲା। ଫଳରେ ପାକିସ୍ତାନ ବୃହତ୍ ୩୬୨ ରନରେ ପଛରେ ପଡିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ମାମୁଲି ବ୍ୟାଟିଂ ପ୍ରଦର୍ଶନ କରି ୮୧.୪ ଓଭରରେ ୧୮୬ ରନ କରି ଅଲ୍ଆଉଟ ହୋଇଥିଲା ଓ ଇନିଂସ ପରାଜୟ ବରଣ କରିଥିଲା।
ତୃତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୮/୧ରୁ ପାକିସ୍ତାନ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ଆବିଦ ଅଲି ୭ରୁ ଖେଳ ଆରମ୍ଭ କରି ୨୬ ଓ ମହମ୍ମଦ ଆବାସ ୧ରୁ ଖେଳ ଆରମ୍ଭ କରି ମାତ୍ର ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଘରୋଇ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ନିୟମିତ ବ୍ୟବଧାନରେ ଉଇକେଟ ହରାଇ ପାକିସ୍ତାନ ଅଲ୍ଆଉଟ ହୋଇଥିଲା। ଦଳ ତରଫରୁ ଆଝାର ଅଲି ୩୭, ହାରିସ ସୋହେଲ ୧୫, ଫଓ୍ବାଦ ଆଲମ ୧୬, ଅଧିନାୟକ ମହମ୍ମଦ ରିଜଓ୍ବାନ ୧୦, ଫହିମ ଆଶ୍ରଫ ୨୮, ଜାଫର ଗୋହର ୩୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଜେମିସନ ସର୍ବାଧିକ ୬, ଟ୍ରେଣ୍ଟ ବୋଲ୍ଟ ୩, କେନ୍ ଓ୍ବିଲିୟମସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ: ୮୩.୫ ଓଭରରେ ୨୯୭।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୫୮.୫ ଓଭରରେ ୬୫୯/୬ରେ ଇନିଂସ ଘୋଷଣା
ପାକିସ୍ତାନ ଦ୍ୱିତୀୟ ଇନିଂସ: ୮୧.୪ ଓଭରରେ ୧୮୬ ଅଲ୍ଆଉଟ
(ଆବିଦ ଅଲି-୨୬, ଆଝାର ଅଲି- ୩୭, ଫହିମ- ୨୮, ଜାଫର ଗୋହର- ୩୭, ଜେମିସନ-୬/୪୮, ବୋଲ୍ଟ- ୩/୪୩, ଓ୍ବିଲିୟମସନ- ୧/ ୧୬)।