ଗୋପାଳପୁର,୧୨।୧(ନବୀନରାଜ ଆଚାରୀ): ଗତ କିଛିମାସ ହେଲା ନାବାଳକମାନଙ୍କ ଆପରାଧୀକ କାର୍ଯ୍ୟକଳାପ ବଢ଼ିଚାଲିଛି। ସୋମବାର ମଧ୍ୟାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଫୁଲଟା ଗ୍ରାମସ୍ଥିତ ମା’ ନାରାୟଣୀ ଉଚ୍ଚ ବିଦ୍ୟାଳୟରେ ଅଣଛାତ୍ରମାନେ ପଶି ଆତଙ୍କରାଜ ସୃଷ୍ଟି କରିବାସହ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରମାନେ ହେଲେ ଦଶମ ଶ୍ରେଣୀ ଛାତ୍ର ଓମ ମଣ୍ଡଳ ଓ ଅଷ୍ଟମ ଶ୍ରେଣୀ ଛାତ୍ର ରାମକୃଷ୍ଣ ପ୍ରଧାନ ବୋଲି ସୂଚନା ମିଳିଛି ।
ସୂଚନା ପ୍ରକାରେ, ମା’ ନାରାୟଣୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ମୁଖ୍ୟ ଫାଟକ ବନ୍ଦ ଥିବା ବେଳେ ୪ ଜଣ ଅଣଛାତ୍ର ଗେଟ୍ ଚଢ଼ି ଲୁହାରଡ଼ ପଞ୍ଚ ଓ ଅନ୍ୟାନ୍ୟ ମରାଣାସ୍ତ୍ର ଧରି ସ୍କୁଲ ଭିତରକୁ ପ୍ରବେଶ କରିଥିଲେ । ପରେ ଓମ ମଣ୍ଡଳଙ୍କୁ ଲୁହା ରଡ଼, ପଥରରେ ମରଣାନ୍ତକ ଆକ୍ରମଣ କରିଥିଲେ ଏଥିସହ ଖେଳୁଥିବା ଛାତ୍ର ରାମକୃଷ୍ଣ ପ୍ରଧାନ ଆକ୍ରମଣରେ ଆହତ ହୋଇଥିଲେ ଏହା ଦେଖି ବିଦ୍ୟାଳୟ ଶିକ୍ଷକ ଓ ଅନ୍ୟମାନେ ତାଙ୍କୁ ସେଠାରୁ ରକ୍ଷା କରିଥିଲେ ମଧ୍ୟ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇ ସାମାନ୍ୟ ଆହତ ହୋଇଥିଲେ। ଓମ ମଣ୍ଡଳ ଅଚେତ ହୋଇପଡ଼ିଥିଲେ ଏବଂ ରାମକୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଦୁଇ ଶିକ୍ଷକ ତୁରନ୍ତ ଉଭୟଙ୍କୁ ଉଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଖବରପାଇ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ଓ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚତ୍ ଛାତ୍ରମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମେଡିକାଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।
ଗୋଷ୍ଠୀ ଶିକ୍ଷାଧିକାରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ଏନେଇ ଖୁବଶୀଘ୍ର ଥାନାରେ ଅଭିଯୋଗ ଦିଆଯିବ ବୋଲି କହିଛନ୍ତି ଅନ୍ୟପଟେ ବିଦ୍ୟାଳୟରେ ଅଣଛାତ୍ରମାନଙ୍କ ଏଭଳି ଆତଙ୍କରାଜ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ଅନ୍ୟପଟେ ଏହି ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ଆକ୍ରମଣ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Dharitri – Odisha’s No.1 Odia Daily