ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ଦାବି କଲେ…

ଦିଗପହଣ୍ଡି, ୨୪।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସହରର ସଚେତନ ନାଗରିକ ବୃନ୍ଦ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଏବଂ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଆଶିଷ କୁମାର ନାୟକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବଜାର ସାହି, ଜନତା ଲେନ, ମେଡିକାଲ ରୋଡ଼ ସମେତ ବିଭିନ୍ନ ପାର୍କ, ବାଳିକା ହାଇସ୍କୁଲ, ମହିଳା ମହାବିଦ୍ୟାଳୟ ନିକଟରେ ସହରର ସାହାଣୀ ବାଉରୀ ସାହିର କିଛି ନିର୍ଦ୍ଦିଷ୍ଟ ଯୁବକ ଓ ସେମାନଙ୍କ ସହଯୋଗୀମାନେ ଆଡ୍ଡା ଜମାଇ ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଅସାମାଜିକ ଯୁବକମାନେ ବିଭିନ୍ନ ସ୍ଥାନରୁ ମୂଲ୍ୟବାନ ସାମଗ୍ରୀ ଚୋରି କରିବା ସହ ସିସିଟିଭି କ୍ୟାମେରା, ସିମେଣ୍ଟ ତିଆରି ଚେୟାର, ପାଣି ପାଇପ ମିଟର, ବ୍ୟାୟାମ ଯନ୍ତ୍ରାଂଶ ଭଳି ସରକାରୀ ତଥା ସର୍ବସାଧାରଣ ସମ୍ପତ୍ତିଗୁଡ଼ିକୁ ନଷ୍ଟ କରି ଦେଉଛନ୍ତି। ବିଭିନ୍ନ ସ୍ଥାନରେ ପଥଚାରୀଙ୍କୁ ଆକ୍ରମଣ କରି ଲୁଟପାଟ ଚଳାଇଥିଲେ ମଧ୍ୟ ପୋଲିସର ଉଦାସୀନତା ସହରବାସୀଙ୍କୁ ତାଜୁବ କରିଛି। ଗତ କିଛି ଦିନ ତଳେ ଜଣେ ମାଛ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଅସାମାଜିକ ଯୁବକ ମାନେ ଅଭିଯୋଗକାରୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଓ ଧମକ ଦେଉଥିବାରୁ ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି। ପୋଲିସ ପାଟ୍ରୋଲିଂ କଡାକଡି କରି ସହରର ଶାନ୍ତ ପରିବେଶ ଫେରାଇବା ଦିଗରେ ପୋଲିସ ବିଫଳ ହେଲେ ଦିଗପହଣ୍ଡି ନାଗରିକ କମିଟି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା,କାଉନସିଲର ଦୀପକ କୁମାର ମିଶ୍ର, ସୁନିଲ କୁମାର ପଣ୍ଡା, ଆଇନଜୀବୀ ହରପ୍ରସାଦ ରଥ, ରସାନନ୍ଦ ରାଉତଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily