Terror Attack: ହନିମୁନ ପାଇଁ ହିମାଂଶୀଙ୍କ ସହ ୟୁରୋପ ଯାଇଥାଆନ୍ତେ ନେଭି ଅଫିସର ବିନୟ, ହେଲେ ଭାଗ୍ୟରେ ଥିଲା…

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ମଧ୍ୟ ଅଛନ୍ତି। ଲେଫ୍ଟନାଣ୍ଟ ବିନୟ ନରୱାଲ ମାତ୍ର ୮ ଦିନ ପୂର୍ବରୁ ହିମାଂଶୀ ନରୱାଲଙ୍କୁ ବିବାହ କରିଥିଲେ ଏବଂ ସେମାନେ ହନିମୁନ ପାଇଁ କଶ୍ମୀର ଯାଇଥିଲେ। ଯଦିଓ ତାଙ୍କର ଯୋଜନା ୟୁରୋପ ଯିବାର ଥିଲା, କିନ୍ତୁ ଭିସା ନ ପାଇବାରୁ ତାଙ୍କୁ ତାଙ୍କର ଯୋଜନା ବଦଳାଇବାକୁ ପଡିଲା ଏବଂ ସେ କଶ୍ମୀର ଯାଇଥିଲେ।
ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ବୟସ ୨୬ ବର୍ଷ ଥିଲା ଏବଂ ସେ ମାତ୍ର ଆଠ ଦିନ ପୂର୍ବରୁ ହିମାଂଶୀ ନରୱାଲଙ୍କୁ ବିବାହ କରିଥିଲେ। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଦମ୍ପତି ପ୍ରଥମେ ସେମାନଙ୍କର ହନିମୁନ ପାଇଁ ୟୁରୋପ ଯିବାକୁ ଚାହୁଁଥିଲେ କିନ୍ତୁ ଭିସା ପାଇପାରି ନଥିଲେ । ତେଣୁ ଯୋଜନାକୁ ବାତିଲ କରିବାକୁ ପଡିଲା। ବିନୟ ହରିୟାଣାର କରନାଲର ବାସିନ୍ଦା। ତାଙ୍କ ପରିବାର ହରିୟାଣାର କର୍ନାଲର ସେକ୍ଟର ୭ରେ ରୁହନ୍ତି।

Terror Attackରେ ଆତଙ୍କବାଦୀମାନେ ହିମାଂଶିଙ୍କ ସାମ୍ନାରେ ବିନୟଙ୍କୁ ଗୁଳି କରିଥିଲେ। ତଥାପି, ହିମାଂଶୀର କିଛି ହୋଇନାହିଁ ଏବଂ ସେ ଠିକ ଅଛନ୍ତି। ବିନୟ ଏବଂ ହିମାଂଶୀ ଏପ୍ରିଲ ୨୧ ତାରିଖରେ ଜମ୍ମୁ ଏବଂ କଶ୍ମୀରରେ ପହଞ୍ଚିଥିଲେ ଏବଂ ଏପ୍ରିଲ ୨୨ରେ ପହଲଗାମର ଏକ ହୋଟେଲରେ ଚେକ ଇନ କରିଥିଲେ। ହିମାଂଶୀ ନରୱାଲଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ଏବଂ ବିନୟ ପହଲଗାମ ନିକଟରେ ମିନି ସ୍ବିଜରଲ୍ୟାଣ୍ଡ ଭାବରେ ପ୍ରସିଦ୍ଧ ଏକ ପର୍ଯ୍ୟଟନ ସ୍ଥଳ ବୈସାରଣ ଭ୍ୟାଲି ପରିଦର୍ଶନ କରିବାକୁ ଯାଇଥିଲେ। ତା’ପରେ ଆତଙ୍କବାଦୀମାନେ ଆସି ଗୁଳି ଚଳାଇଲେ। ଭିଡିଓରେ ହିମାଂଶୀ କହୁଥିବାର ଦେଖାଯାଉଛି, ‘ମୁଁ ମୋ ସ୍ବାମୀଙ୍କ ସହିତ ଭେଲପୁରୀ ଖାଉଥିଲି, ସେତେବେଳେ ଜଣେ ବ୍ୟକ୍ତି ଆସି ବିନୟଙ୍କ ଆଡ଼କୁ ଇଙ୍ଗିତ କରି କହିଲେ – ସେ ମୁସଲମାନ ନୁହଁନ୍ତି ଏବଂ ତା’ପରେ ସେ ଗୁଳି ଚଳାଇଲେ।’
ବିନୟ ନରୱାଲ ଜଣେ ଇଞ୍ଜିନିୟରିଂ ସ୍ନାତକ ଥିଲେ ଏବଂ ମାତ୍ର ତିନି ବର୍ଷ ପୂର୍ବରୁ ନୌସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନ ତାଙ୍କର କେରଳର କୋଚିରେ ପୋଷ୍ଟିଂ ହୋଇଥିଲା। ତାଙ୍କ ବାପା ରାଜେଶ କୁମାର, ଯିଏ ପାନପତର କଷ୍ଟମ୍ସ ବିଭାଗର ଜଣେ ସୁପରିଣ୍ଟେଣ୍ଡେଣ୍ଟ। ବିନୟଙ୍କ ମାଆଙ୍କ ନାମ ଆଶା ଦେବୀ ଏବଂ ଜେଜେମାଙ୍କ ନାମ ବିରୁ ଦେବା। ଆଶା ଦେବୀ ଜଣେ ଗୃହିଣୀ। ବିନୟଙ୍କ ବଡ଼ ଭଉଣୀ ସୃଷ୍ଟି ଦିଲ୍ଲୀରେ ରହି ସିଭିଲ ସର୍ଭିସେସ ପାଇଁ ପ୍ରସ୍ତୁତି କରୁଛନ୍ତି। ବିନୟଙ୍କ ଜେଜେବାପା ହାୱା ସିଂହ ହରିୟାଣା ପୋଲିସରେ ଥିଲେ ଏବଂ ସେ ୨୦୦୪ ମସିହାରେ ଅବସର ନେଇଥିଲେ।