ସରକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ଭୋପାଳ,୧୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ବହୁ ମହଲା ବିଶିଷ୍ଟ ସରକାରୀ କାର୍ଯ୍ୟାଳୟ ସାତପୁରା ଭବନରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଲ୍ଡିଂ ଜଳୁଥିବାବେଳେ ନିଆଁ ଛାତ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ବାୟସେନାର ଏଏନ୍‌-୩୨ ବିମାନ ଏବଂ ଏମ୍‌ଆଇ-୧୫ ଚପର୍‌ ଭାପାଳ ପଠାଯାଇଛି। ଅନ୍ୟପକ୍ଷେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଛନ୍ତି। ବିଲ୍ଡିଂରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବାବେଳେ ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ବିଲ୍ଡିଂର ତୃତୀୟ ମହଲାରେ ଥିବା ଆଦିବାସୀ ବିକାଶ ବିଭାଗୀୟ ଆଞ୍ଚଳିକ କାର୍ଯ୍ୟାଳୟରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପିଥିବା କୁହାଯାଉଛି। ନିଆଁ ଲାଗିବା ଯୋଗୁ ବିଲ୍ଡିଂରେ ଥିବା ଏକାଧିକ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଉକ୍ତ ବିଲ୍ଡିଂରେ ପରିଚାଳିତ ହେଉଥିବାବେଳେ ଅନେକ ସରକାରୀ ଦସ୍ତାବିଜ ଜଳି ନଷ୍ଟ ହୋଇଯାଇଛି। ଶିବରାଜ ସିଂ ଚୌହାନ ସଚିବମାନଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠନ କରାଯାଇଛି।

Share