ତେହରାନ,୨୬।୪: ଇରାନର ବନ୍ଦର ଆବ୍ବାସ ସହର ବାହାରେ ଥିବା ଶହୀଦ ରାଜାଇ ବନ୍ଦରରେ ଶନିବାର ଭୟାବହ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୧୬ଜଣ ଆହତ ହୋଇଛନ୍ତି।
ମିଶାଇଲ ପ୍ରୋପେଲାଣ୍ଟ ପ୍ରସ୍ତୁତ ପାଇଁ ବ୍ୟବହୃତ ରାସାୟନିକ ଉପାଦାନ ପରିବହନ ସହ ବିସ୍ଫୋରଣର ସମ୍ପୃକ୍ତି ଥିବା କୁହାଯାଉଛି। ଏହି ବନ୍ଦର ଦେଇ ବର୍ଷକୁ ୭୨.୫ ନିୟୁତ ଟନ୍ ପଣ୍ୟ କାରବାର ହୋଇଥାଏ। ସେଠାରେ ପେଟ୍ରୋକେମିକାଲ କାରଖାନା ରହିଛି। ବିସ୍ଫୋରଣ ପରେ ସେଠାରୁ କଳା ଧୂମକୁଣ୍ଡଳୀ ବହୁତ ଉଚ୍ଚ ପର୍ଯ୍ୟନ୍ତ ଉଠୁଥିବା ଦେଖିବାକୁ ମିଳିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ବହୁ କିଲୋମିଟର ଦୂରରେ ଥିବା କୋଠାଗୁଡ଼ିକର କାଚ ଭାଙ୍ଗିଯାଇଛି। ଅନ୍ୟପକ୍ଷରେ ବିସ୍ଫୋରଣରେ କୌଣସି ଶକ୍ତି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇ ନ ଥିବା ଇରାନର ସରକାରୀ ଟିଭି ପକ୍ଷରୁ କୁହାଯାଇଛି।
ରାଜାଇ ବନ୍ଦରରେ ଥିବା କଣ୍ଟେନରଗୁଡ଼ିକରୁ ବିସ୍ଫୋରଣ ଘଟିଥିବା ସେଠାର ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହର୍ଦାଦ ହାସନଜାଦେ କହିଛନ୍ତି। ବିସ୍ଫୋରଣ ଯୋଗୁ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି।