ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଥାନାରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କାଳବୈଶାଖୀ ଯୋଗୁ ସଂରକ୍ଷିତ ଜଙ୍ଗଲରେ ଅନେକ ୟୁକାଲି ପଟାସ ଗଛ ଉପୁଡ଼ି ପଡ଼ିଥିଲା।  ଏହି ଗଛକୁ ହଟାଇବା ପାଇଁ ଗ୍ରାମ୍ୟ ଜଙ୍ଗଲ କମିଟି ସମ୍ପାଦକ ଭଗବାନ ମଣ୍ଡଳ ଏବଂ ସଭାପତି ସୃଷ୍ଟିଧର ଦାସଙ୍କ ସମେତ ଅନ୍ୟ କେତେଜଣ ସଦସ୍ୟ ବେତନଟୀ ରେଞ୍ଜ ଅଧିକାରୀଙ୍କୁ ଅବଗତ କରାଇଥିଲେ।
ଜଙ୍ଗଲ ସଂଲଗ୍ନ ଘରଗୁଡ଼ିକ ପ୍ରତି ଯଦି ବିପଦ ଥାଏ,  ତେବେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକ ହଟାଇ ଅନ୍ୟତ୍ର ରଖାଯାଉ ବୋଲି ରେଞ୍ଜର ମନୱର ଖାଁ ପ୍ରକାଶ କରିଥିଲେ। ତେବେ କମିଟିର ଅନ୍ୟ କେତେଜଣ ସଦସ୍ୟ ଏହି କାଠ ଗଣ୍ଡିଗୁଡ଼ିକୁ ସଭାପତି ଏବଂ ସମ୍ପାଦକ ବିକ୍ରି କରିଦେଉଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ କରିବାରୁ ବନ ବିଭାଗ ଏହି କାଠଗୁଡ଼ିକ ସିଜ୍‌ କରିଥିଲା।
ଏହାକୁ କେନ୍ଦ୍ର କରି ୨୪ ତାରିଖ ପୂର୍ବାହ୍ନରେ ଜଙ୍ଗଲ କମିଟିର ସଦସ୍ୟମାନଙ୍କୁ ନେଇ ସଭାପତି ଏକ ବୈଠକ ଡକାଇଥିଲେ। ଗଛ ବିକ୍ରିକୁ ନେଇ ବିଚାରବିମର୍ଶ ଚାଲିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। କମିଟିର ସଭ୍ୟ ପଦ୍ମନାଭ ପଣ୍ଡା, ଆଦିତ୍ୟ ନାଥ, ଅଞ୍ଜନ କୁମାର ଗିରିଙ୍କ ସହିତ ଅନ୍ୟ ୩ ଜଣ ଯୁବକ ସମ୍ପାଦକ ଭଗବାନ ମଣ୍ଡଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ରବି ନାରାୟଣ ମଣ୍ଡଳ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଗଛ ବିକ୍ରିକୁ ବିରୋଧ କରିବାରୁ  ସଭାପତି ଏବଂ ସମ୍ପାଦକ ଜଙ୍ଗଲ କମିଟି ସଦସ୍ୟମାନଙ୍କୁ ବୈଠକକୁ ଡକାଇ ଗାଳି ଗୁଲଜ କରିବା ସହିତ ଭଗବାନ ମଣ୍ଡଳ, ନବଘନ ମଣ୍ଡଳ, ସୃଷ୍ଟିଧର ଦାସ, ରାଜୁ ମଣ୍ଡଳ ଓ ରବି ମଣ୍ଡଳ ପ୍ରମୁଖ ସଂଘବଦ୍ଧ ଭାବେ ଆଦିତ୍ୟ ନାଥଙ୍କୁ ମାଡ଼ ମାରିଥିବା ନେଇ କମଳାକାନ୍ତ ସାମନ୍ତରାୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି।  ଉଭୟ ପକ୍ଷର ଆହତମାନେ ବୈଶିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଥାନାରେ ଦୁଇଟି ପୃଥକ ମାମଲା (ନଂ.୧୭୫/ ୨୫) ଏବଂ (୧୭୬/୨୫)  ରୁଜୁ ହୋଇଛି। ଏସ୍‌ଆଇ ଦେବାଶିଷ ମଣ୍ଡଳ ଘଟଣାର ତଦନ୍ତ କରୁଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।