ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌ ଭାଜପା ହାତ ଧରିଛନ୍ତି। ପସ୍‌ ୨୦୨୧ରେ ବର୍ତ୍ତମାନ ସରକାର ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଥିଲେ। ଏପରିକି ୨୦୨୨ରେ ଗୋଆ ନିର୍ବାଚନ ବେଳେ ସେ ଟିଏମ୍‌ସି ଲାଗି ପ୍ରଚାର କରିଥିଲେ।

ଦୀର୍ଘ ୩ ଦଶନ୍ଧି ଧରି ଭାରତୀୟ ଟେନିସ୍‌ର ଚେହେରା ହୋଇ ରହିଥିଲେ। ସେ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ବ୍ରୋଞ୍ଜ୍‌ ପଦକ ଜିତି ଇତିହାସ ରଚିଥିଲେ। ତାଙ୍କର ଏହି ଉପଲବ୍ଧି ସହ ଅଲିମ୍ପିକ୍‌ର ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ପଦକ ଆଶା ଶେଷ ହୋଇଥିଲା। ତାଙ୍କ ନାମରେ ୧୮ ଗ୍ରାଣ୍ଡସ୍ଲାମ ଟାଇଟଲ ରହିଛି। ପୁରୁଷ ଡବଲ୍ସରେ ୮ଟି ଓ ମିକ୍ସଡ୍‌ରେ ୧୦ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ।

ଏପରିକି ସେ ମିକ୍ସଡ୍‌ ଡବଲ୍ସରେ କ୍ୟାରିୟର ଗ୍ରାଣ୍ଡସ୍ଲାମ ପୂରା କରିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଭାରତୀୟ ଡେଭିସ୍‌ କପ୍‌ ଦଳ ଉଚ୍ଚ ର଼୍ୟାଙ୍କ୍‌ଧାରୀ ଦଳ ବିପକ୍ଷରେ ଅନେକ ସ୍ମରଣୀୟ ବିଜୟ ହାସଲ କରିଥିଲା।

ଟେନିସ୍‌ରୁ ଅବସର ନେବାପରେ ସେ ନିକଟରେ ବେଙ୍ଗଲ ଟେନିସ୍‌ ଆସୋସିଏଶନ(ବିଟିଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନୂଆ ଜାତୀୟ କ୍ରୀଡ଼ା ପ୍ରଶାସନ ଆଇନ ଅନୁଯାୟୀ, ସମ୍ବିଧାନରେ ପରିବର୍ତ୍ତନ ପରେ ଅଲ୍‌ ଇଣ୍ଡିଆ ଟେନିସ୍‌ ଆସୋସିଏଶନ(ଏଆଇଟିଏ) ନିର୍ବାଚନରେ ପେସ୍‌ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

Share