Categories: Home Leftଖେଳ

ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ

ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ ଗଦା ସହ ପୁରସ୍କାର ବାବଦକୁ ୧.୬ ନିୟୁତ ଡଲାରର ଚେକ୍‌ ମିଳିବ। ଟି୨୦ ଓ ଦିନିକିଆ ବିଶ୍ୱକପ୍‌ର ସଫଳତା ପରେ ୨୦୧୯ରେ ଆରମ୍ଭ ହୋଇଥିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌। ଦୁଇ ବର୍ଷ ମଧ୍ୟରେ ୯ଟି ଦଳ ଘରେ ଓ ବିଦେଶରେ ମୋଟ ୬ଟି ଲେଖାଏ ସିରିଜ୍‌ ଖେଳିଥିଲେ, ଯେଉଁଥିରୁ ମିଳିଛନ୍ତି ଦୁଇ ଫାଇନାଲିଷ୍ଟ। ତେବେ ଡବ୍ଲ୍ୟୁଟିସିର ଏହି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି କ୍ରିକେଟର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର।

ସୀମିତ ଓଭର ବିଶ୍ୱକପ୍‌ ଭଳି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌କୁ ୨ରୁ ୩ ମାସ ମଧ୍ୟରେ ଆୟୋଜନ କରାଯିବା ଦରକାର। ଏହା ଦ୍ୱାରା କ୍ରିକେଟର ଲମ୍ବା ଫର୍ମାଟ ଲାଗି ପ୍ରଶଂସକଙ୍କ ମଧ୍ୟରେ ଅଧିକ ଆଗ୍ରହ ସୃଷ୍ଟି ହୋଇପାରିବ। ବିଶ୍ୱକପ୍‌ ନିର୍ଦ୍ଦିଷ୍ଟ ସମୟସୀମାରେ ଗୋଟିଏ କିମ୍ବା ଦୁଇଟି ଦେଶରେ ଖେଳାଯାଏ, ବିଶ୍ୱର ବିଭିନ୍ନ ଦେଶରେ ନୁହେଁ ବୋଲି ତେନ୍ଦୁଲକର ଫୋନ ଯୋଗେ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି।

”କେଉଁ ଦେଶରେ ଟେଷ୍ଟ ଚାମ୍ପିୟନଶିପ୍‌ ଖେଳାଯିବ ଆମକୁ ପ୍ରଥମେ ତାହା ସ୍ପଷ୍ଟ କରିବାକୁ ପଡ଼ିବ। ଦୁଇ ମାସ ମଧ୍ୟରେ କେବଳ ଟେଷ୍ଟ ଚାମ୍ପିୟନଶିପ୍‌ ଖେଳାଯିବ ଉଚିତ। ଯଦି ପ୍ରତ୍ୟେକ ଦଳ ପରସ୍ପର ମଧ୍ୟରେ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳନ୍ତି, ତେବେ ଫାଇନାଲ ଟେଷ୍ଟ ଖେଳାଯିବା କଥା। କିନ୍ତୁ ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏ ପୂରା ସିରିଜ୍‌ ଖେଳିବାକୁ ପଡ଼ୁଥିବାବେଳେ ବିଜେତା କିଏ ଜାଣିବା ପାଇଁ ଗୋଟିଏ ମ୍ୟାଚ୍‌ ଖେଳାଯିବା ଯୁକ୍ତିଯୁକ୍ତ ନୁହେଁ“ ବୋଲି ଟେଷ୍ଟ ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ସଚିନ କହିଛନ୍ତି।

Share