ଭାସିଗଲା ଆସ୍ଥାୟୀ ପୋଲ, ସିମନବାଡି-ବୁଡ଼ାଗୁଡା ଯାତାୟାତ ଠପ୍‌

ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଦେଇ ଯାଇଥିବା ଗୁମାଡି ନଦୀରେ ଜଳସ୍ତର ବୃଦ୍ଧି ଘଟଣାରେ ଯାହା ଆଶଙ୍କା କରାଯାଉଥିଲା ତାହା ଶୁକ୍ରବାର ଦେଖିବାକୁ ମିଳିଛି। ଉକ୍ତ ଗୁମାଡି ନଦୀରେ ନୂତନ ପୋଲ କାର୍ଯ୍ୟ ଚାଲିଥିବାବେଳେ ସେହି ନିକଟରେ ଯାତାୟାତ ପାଇଁ ଏକ ଅସ୍ଥାୟୀ ପୋଲ ସହ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଥିଲା। ତେବେ ଲଗାଣ ବର୍ଷାରେ ଗୁରୁବାର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଶୁକ୍ରବାର ଭୋର ସମୟରେ ଦେଖିବା ବେଳେ ଅସ୍ଥାୟୀ ପୋଲଟି ଧୋଇ ହୋଇଯାଇଛି। ଚଳିତବର୍ଷ ବର୍ଷାରେ ଉକ୍ତ ପୋଲ ବାରମ୍ବାର ଧୋଇହୋଇ ଯାଉଥିବା ନଜିର ରହିଥିବାବେଳେ ପୁଣି ଥରେ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘଟଣାକୁ ନେଇ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତ ଦାସଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କେଶରୀ ସ୍ବାଇଁ ପ୍ରମୁଖ ଘଟଣାର ଅନୁଧ୍ୟାନ କରୁଥିବା ଓ ସେହି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ ନୋଟିସ ଜାରୀ କରିଥିବା ଜଣାପଡିଛି।