ବଢୁଛି ତାତି: ସତର୍କ, ସଜାଗ ରହିିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ପାରଳାଖେମୁଣ୍ଡି,୧ା୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଶନିବାର ଜିଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ଚଳିତ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ଗ୍ରୀଷ୍ମ ପ୍ରବାହ ହେତୁ ଅଂଶୁଘାତ ନିୟନ୍ତ୍ରଣ ଲାଗି କିପରି କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଗ୍ରୀଷ୍ମ ପ୍ରବାହର ସୁପରିପରିଚାଳନା କରିବା, ଏଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ସତର୍କ ଓ ସଜାଗ ରହିିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲାରେ ଆରମ୍ଭ ହୋଇଛି। ଆଗକୁ ଏହା ଆହୁରି ତୀବ୍ର ହୋଇପାରେ। ଗ୍ରୀଷ୍ମ ପ୍ରବାହ ଯୋଗୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇ ଓଆରଏସ୍‌ ପ୍ୟାକେଟ ଓ ଆବଶ୍ୟକ ଔଷଧ ମହଜୁଦ ରଖିବା ଲାଗି କୁହାଯାଇଛି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର ଅଂଶୁଘାତ କକ୍ଷ ଖୋଲାଯିବା ଏବଂ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ବିତ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ସମସ୍ତ ଗ୍ରାମାଞ୍ଚଳ,ପାରଳାଖେମୁଣ୍ଡି ପୌର ପରିଷଦ, କାଶୀନଗର ଏନଏସି ଓ ସମସ୍ତ ବ୍ଲକ ପକ୍ଷରୁ ବିଭିନ୍ନ ଛକ ଜାଗାରେ ଜଳଛତ୍ର ଖୋଲିବା, ଖରାପ ଥିବା ନଳକୂଅକୁ ତୁରନ୍ତ ମରାମତି କରିବା, ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ସମୟରେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ମୁଣ୍ଡରେ ପକାଇ ଯାତାୟାତ କରିବା ପାଇଁ ଜନସାଧାରଣଙ୍କୁୁ ସଚେତନ କରିବାକୁ ଆଲୋଚନା ହୋଇଥିଲା। ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ, ବିଦ୍ୟୁତ୍‌ ବିଭ୍ରାଟ ନ ହୁଏ, ପଶୁପକ୍ଷୀମାନଙ୍କ ଯତ୍ନ ନେବା, ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା, ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ପରିବର୍ତ୍ତନ କରିବା, ଜୀବଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି।