ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତହସିଲଦାରଙ୍କୁ ହତ୍ୟା ଧମକ

ଖଡ଼ିଆଳ,୪।୭ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଡ଼ବା ଏ ନେଇ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଓଏଏସ୍‌ ସଂଘର ନିଷ୍ପତ୍ତି ଅନୁଯାୟୀ ସବୁ ଅଫିସରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଖଡ଼ିଆଳ ବ୍ଲକରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଏଣୁ ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏପରିସ୍ଥଳେ ବୁଧବାର ଗାଡ଼ବାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନକଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ ଏକ ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତୁକଲାଠାରେ ନିର୍ମିତ ଆଡିଶନାଲ କ୍ଲାସରୁମର ଚେକ୍‌ ପାସ୍‌ କାହିଁକି କରୁନାହାନ୍ତି ବୋଲି ପଚାରିବା ସହ ଅଭଦ୍ର ଭାଷାରେ ଗାଳିକରି ମାରିଦେବାକୁ ଧମକ ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଡ଼ବା ଦାବି କରିଛନ୍ତି। ଏ ନେଇ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ଏବଂ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ।