ଆକ୍ସନ ମୋଡ୍‌ରେ ତହସିଲଦାର: ହୋଟେଲରେ ଅଚାନକ ଚଢ଼ାଉ

ଧର୍ମଶାଳା,୧୬।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଦିନକୁ ଦିନ ଡାଇରିଆ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ମଙ୍ଗଳବାର ବଡ଼ଚଣା ବ୍ଲକର ଚଣ୍ଡିଖୋଲ, ଦର୍ପଣ ଆଦି ଅଞ୍ଚଳରେ ଥିବା ହୋଟେଲ, ମିଠା ଦୋକାନ, ରେଷ୍ଟୁରାଣ୍ଟ ଗୁଡିକରେ ଅଚାନକ ଚଢ଼ାଉ କରାଯାଇଛି।

ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ ତହସିଲ କର୍ମଚାରୀଙ୍କ ସହ ଚଣ୍ଡିଖୋଲ ବଜାରର ହୋଟେଲ, ରେଷ୍ଟୁରାଣ୍ଟରେ ଚଢ଼ାଉ କରିଥିଲେ। ଚଢାଉ ବେଳେ ବ୍ୟବସାୟୀମାନଙ୍କୁ ସଫାସୁତରା ରଖିବାକୁ କହିବା ସହ ତଟକା ଖାଦ୍ୟ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କିଛି ହୋଟେଲରେ ବ୍ୟବହୃତ ହେଉଥିବା ପିଇବା ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ତହସିଲଦାର କହିଛନ୍ତି। ତେବେ ହୋଟେଲ ମାଲିକ କାର୍ଯ୍ୟରେ ଖିଲାପ କଲେ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ତହସିଲଦାର କଡ଼ା ତାଗିତ କରିଛନ୍ତି।