ତହସିଲ କର୍ମଚାରୀଙ୍କ ମିଳିଲା ଝୁଲନ୍ତା ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ବୈଶିଙ୍ଗା,୧୪।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ସୋମବାର ଜଣେ ତହସିଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ମିଳିଥିବା ସୂଚନା ମୁତାବକ, ବେତନଟୀର ବିଶ୍ୱଜିତ ପରିଡା ରବିବାର ସାରେ ଘରକୁ ଫେରି ରୁମରେ କବାଟ ବନ୍ଦ କରି ଶୋଇଥିଲେ। ସୋମବାର ସକାଳେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକେ କବାଟ ବାଡେଇ ଥିଲେ। ହେଲେ ବିଶ୍ୱଜିତ କବାଟ ଖୋଲି ନ ଥିଲେ। ପରିବାର ଲୋକେ ବାରମ୍ବାର ଡାକିବା ସତ୍ତ୍ୱେ ବିଶ୍ୱଜିତ କବାଟ ନ ଖୋଲିବାରୁ ପଡୋଶୀଙ୍କୁ ଡାକି କବାଟ ଭାଙ୍ଗି ଥିଲେ। ହେଲେ ଘର ଭିତରେ ବିଶ୍ୱଜିତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଶଜିତ ସୋଫା କଭରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ବେତନଟୀ ତହସିଲରେ ଆଉଟ୍‌ ସୋର୍ସିଂରେ ନିଯୁକ୍ତି ପାଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଅନ୍ୟପକ୍ଷେ ବେତନଟୀ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।