ନୂଆଦିଲ୍ଲୀ,୨୭।୧୦: ହରିୟାଣାର ଫରିଦାବାଦ୍ର ବସେଲୱା କଲୋନୀରେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ରାହୁଲ ଭାରତୀ ତାଙ୍କ ତିନି ଭଉଣୀଙ୍କ ଏଆଇ-ଜେନେରେଟେଡ୍ ଅଶ୍ଳୀଳ ଫଟୋ ଓ ଭିଡିଓ ବ୍ଲାକମେଲ ଦେଖି ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ଡିଏଭି କଲେଜର ଦ୍ୱିତୀୟ ବର୍ଷ ଛାତ୍ର ରାହୁଲଙ୍କୁ ୨୦,୦୦୦ ଟଙ୍କା ଦାବି କରି ସୋସିଆଲ ମିଡିଆରେ ଫଟୋ ଲିକ୍ କରିବାକୁ ଧମକ ଦେଇଥିଲେ।
ପରିବାରର ଅଭିଯୋଗ ଆଧାରରେ ପୋଲିସ ରାହୁଲଙ୍କ ବନ୍ଧୁ ସମେତ ଦୁଇଜଣଙ୍କ ବିରୋଧରେ ଏଫଆଇଆର ଦାୟର କରିଛି। ବ୍ଲାକମେଲ ଦୁଇ ସପ୍ତାହ ପୂର୍ବେ ଆରମ୍ଭ ହୋଇଥିଲା। ରାହୁଲଙ୍କ ବାପା ମନୋଜ ଭାରତୀ ପୁଲିସକୁ କହିଛନ୍ତି ଯେ ପୁଅର ମୋବାଇଲ ହ୍ୟାକ୍ ହୋଇଯାଇଥିଲା। ଶୀଘ୍ର ହ୍ୱାଟ୍ସଆପ୍ରେ ରାହୁଲ ଓ ତାଙ୍କ ଭଉଣୀମାନଙ୍କର ମର୍ଫଡ୍ ନଗ୍ନ ଫଟୋ ଓ ଭିଡିଓ ଆସିବାକୁ ଲାଗିଥିଲା।
ମନୋଜ କହିଛନ୍ତି, ‘‘ଧମକର ଚାପରେ ପୁଅ ଅତ୍ୟନ୍ତ ଦୁଃଖୀ ହୋଇପଡ଼ିଥିଲା। ଗତ ୧୫ ଦିନ ମଧ୍ୟରେ ସେ ଖାଇବା ଛାଡ଼ିଦେଇଥିଲା, କାହା ସହିତ କଥା ହେଉ ନ ଥିଲା ଓ ରୁମରେ ଏକୁଟିଆ ରହୁଥିଲା।’’ ଶନିବାର ସନ୍ଧ୍ୟା ୭ଟାରେ ରାହୁଲ ସଲଫାସ୍ (କୀଟନାଶକ ଟାବଲେଟ୍) ଖାଇଥିଲେ। ଡାକ୍ତରଖାନା ନେବା ପରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।
ବିହାରର ସିଓ୍ୱାନ ଜିଲାର ମୂଳ ବାସିନ୍ଦା ଏହି ପରିବାର ପ୍ରାୟ ପାଞ୍ଚ ଦଶନ୍ଧି ଧରି ଫରିଦାବାଦ୍ରେ ରହୁଛନ୍ତି। ମନୋଜ ଡ୍ରାଇଭର ଭାବେ କାମ କରନ୍ତି; ରାହୁଲ ତାଙ୍କର ସାନ ପୁଅ ଥିଲେ। ତାଙ୍କର ଦୁଇ ବିବାହିତ ଓ ଜଣେ ଅବିବାହିତ ଝିଅ ଅଛନ୍ତି।
ହ୍ୱାଟ୍ସଆପ୍ ଚାଟ୍ରୁ ଜଣାପଡ଼ିଛି ଯେ ସାହିଲ ନାମକ ଜଣେ ଏଆଇ ଫଟୋ ଓ ଭିଡିଓ ପଠାଇ ଟଙ୍କା ଦାବି କରୁଥିଲା। ଶେଷ ଚାଟ୍ରେ ସେ ସୋସିଆଲ ମିଡିଆରେ ଲିକ୍ କରିବାକୁ ଧମକ ଦେଇ ଆତ୍ମହତ୍ୟା କରିବାକୁ ଉସ୍କାଇଥିଲା ଏବଂ ବିଷାକ୍ତ ପଦାର୍ଥ ବିଷୟରେ ପରାମର୍ଶ ଦେଇଥିଲା। ରାହୁଲଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ବନ୍ଧୁ ନୀରଜ ମଧ୍ୟ ଜଡ଼ିତ ଥିବା ସମ୍ଭାବନା ରହିଛି। ମୃତ୍ୟୁ ପୂର୍ବର ଶେଷ ଫୋନ୍ କଥା ନୀରଜଙ୍କ ସହ ହୋଇଥିଲା। ଉଭୟ ସାହିଲ ଓ ନୀରଜଙ୍କ ନାମ ଏଫଆଇଆରରେ ରହିଛି।ନ ଓଲ୍ଡ ଫରିଦାବାଦ୍ ଥାନା ଇନ୍ଚାର୍ଜ ବିଷ୍ଣୁ କୁମାର କହିଛନ୍ତି, ଦୁଇ ଅଭିଯୁକ୍ତଙ୍କୁ ଖୋଜାଯାଉଛି।