ମସୁରୀ, ୧୪।୩: ଟିମ୍ ଇଣ୍ଡିଆର ଷ୍ଟାର୍ ସ୍ପିନର୍ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯ ମାର୍ଚ୍ଚ) ରେ ଭାରତୀୟ ଦଳ ସହ ଲଗାତାର ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ, ଏବେ ସେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଶନିବାର, ୧୪ ମାର୍ଚ୍ଚରେ କୁଲଦୀପ ନିଜର ପିଲାଦିନର ବନ୍ଧୁ ବଂଶିକା ଚଡ୍ଡାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଉତ୍ତରାଖଣ୍ଡର ପ୍ରସିଦ୍ଧ ହିଲ ଷ୍ଟେସନ ମସୁରୀରେ ଏହି ଭବ୍ୟ ବିବାହ ଅନୁଷ୍ଠିତ ହୋଇଥିଲା। ସହରର ବିଳାସପୂର୍ଣ୍ଣ ହୋଟେଲ ’ଦ ସେଭୟ’କୁ ବଧୂ ଭଳି ସଜାଯାଇଥିଲା। ବିଶ୍ୱକପ ଜିତିବା ପରେ କୁଲଦୀପ ସିଧାସଳଖ ମସୁରୀରେ ପହଞ୍ଚିଥିଲେ। ପ୍ରାୟ ତିନି ଦିନ ଧରି ଚାଲିଥିବା ମେହେନ୍ଦୀ, ହଳଦୀ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ପରେ ଶନିବାର ସନ୍ଧ୍ୟାରେ କୁଲଦୀପ ବରଯାତ୍ରୀ ଧରି ପହଞ୍ଚିଥିଲେ ଏବଂ ବଂଶିକାଙ୍କୁ ବରମାଳା ପିନ୍ଧାଇଥିଲେ।
କୁଲଦୀପଙ୍କ ଏହି ସ୍ବତନ୍ତ୍ର ଦିନରେ ସାମିଲ ହେବା ପାଇଁ ଭାରତୀୟ ଦଳର ଅନେକ ତାରକା ଖେଳାଳି ମସୁରୀରେ ପହଞ୍ଚିଥିଲେ। ୟୁଜଭେନ୍ଦ୍ର ଚହଲ, ଷ୍ଟାର୍ ବ୍ୟାଟର ରିଙ୍କୁ ସିଂ, ତିଲକ ବର୍ମା ଏବଂ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ ବରଯାତ୍ରୀରେ ସାମିଲ ହୋଇ ପ୍ରବଳ ନାଚିଥିଲେ। ସୋସିଆଲ ମିଡିଆରେ ଏହି ବିବାହର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।
କୁଲଦୀପ ଏବଂ ବଂଶିକା ଉଭୟ କାନପୁରର ବାସିନ୍ଦା ଏବଂ ପିଲାଦିନର ବନ୍ଧୁ। ଗତ ବର୍ଷ ୪ ଜୁନ୍ରେ ସେମାନଙ୍କର ନିର୍ବନ୍ଧ (Engagement) ହୋଇଥିଲା। ବଂଶିକା ଅଷ୍ଟ୍ରେଲିଆରେ ନିଜର ପାଠପଢ଼ା ଶେଷ କରିଛନ୍ତି। ବିବାହ ପୂର୍ବରୁ ଏହି ଯୋଡ଼ି କେବେବି ସାଧାରଣରେ ଏକାଠି ନଜର ଆସି ନ ଥିଲେ, ଯାହା ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ସର୍ପ୍ରାଇଜ ଥିଲା।