ନୂଆଦିଲ୍ଲୀ,୧୮।୨: ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବହୁତ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୧ ବର୍ଷରୁ ଅଧିକ ସମୟ ଧରି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ତଥାପି ସେ ନିରନ୍ତର ଭାବେ ଘରୋଇ କ୍ରିକେଟରେ ଅଂଶଗ୍ରହଣ କରୁଛନ୍ତି। ବର୍ତ୍ତମାନ ସେ ରଣଜୀ ଟ୍ରଫିରେ ମୁମ୍ବାଇ ଦଳ ପାଇଁ ଖେଳୁଛନ୍ତି, ଯେଉଁଠାରେ ତାଙ୍କ ଦଳ ବିଦର୍ଭ ବିପକ୍ଷରେ ଖେଳୁଛି। ଅପରପକ୍ଷେ ଟିମ ଇଣ୍ଡିଆକୁ ତାଙ୍କର ପ୍ରତ୍ୟାବର୍ତ୍ତନ ଦେଖାଯାଉନାହିଁ। ଏପରି ପରିସ୍ଥିତିରେ ଶାର୍ଦ୍ଦୁଳ ଠାକୁର ଏକ ବଡ଼ ନିଷ୍ପତ୍ତି ନେବେ। ସେ ତାଙ୍କ ମୁମ୍ବାଇ ଦଳର ସାଥୀ ପୃଥ୍ବୀ ଶ’ଙ୍କ ପଥ ଅନୁସରଣ କରିବାକୁ ଯାଉଥିବା କୁହାଯାଉଛି।
କହିବାକୁ ଗଲେ ପୃଥ୍ବୀ ଶ’ ମଧ୍ୟ ବହୁ ବର୍ଷ ଧରି ଟିମ୍ ଇଣ୍ଡିଆ ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ଏପରି ପରିସ୍ଥିତିରେ ଦଳରେ ପ୍ରତ୍ୟାବର୍ତ୍ତନ ପାଇଁ, ସେ ଇଂଲଣ୍ଡରେ ଖେଳାଯାଇଥିବା କାଉଣ୍ଟି ଚାମ୍ପିଅନଶିପରେ ଅନେକ ଥର ଅଂଶଗ୍ରହଣ କରିଛନ୍ତି। ଏବେ ଶାର୍ଦ୍ଦୁଳ ଠାକୁର ମଧ୍ୟ ସମାନ କିଛି କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶାର୍ଦ୍ଦୁଳ ୨୦୨୫ କାଉଣ୍ଟି ଚାମ୍ପିଅନଶିପ ପାଇଁ ଏସେକ୍ସ ଦଳର ଅଂଶ ହେବାକୁ ଯାଉଛନ୍ତି। ଟିମ ଇଣ୍ଡିଆ ଜୁନ୍ରେ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ସିରିଜ ଖେଳିବ। ଏଣୁ ଶାର୍ଦ୍ଦୁଳ କାଉଣ୍ଟି ଚାମ୍ପିଅନଶିପରେ ଭଲ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି।
କହି ରଖୁଛୁ , ଶାର୍ଦ୍ଦୁଳ ଠାକୁର ଏଥର IPLର ଅଂଶ ନାହାନ୍ତି। ତାଙ୍କୁ ଆଇପିଏଲ୍ ୨୦୨୫ ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ରିଟେନ୍ କରି ନ ଥିଲା ଏବଂ ତା’ପରେ କୌଣସି ଦଳ ତାଙ୍କୁ ଆଇପିଏଲ୍ ୨୦୨୫ ମେଗା ନିଲାମରେ ମଧ୍ୟ କିଣି ନ ଥିଲା। ସେ ନିଲାମରେ ତାଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଥିଲେ। ଏପରି ପରିସ୍ଥିତିରେ, ସେ ଆଇପିଏଲ୍ ସମୟରେ ଇଂଲଣ୍ଡ ଯାଇପାରନ୍ତି, ଯେଉଁଠାରେ ସେ କାଉଣ୍ଟି ଚାମ୍ପିଅନଶିପରେ ଏସେକ୍ସ ଦଳ ପାଇଁ ଖେଳିବାର ଦେଖାଯିବେ।
ଶାର୍ଦ୍ଦୁଳ ଏଯାବତ ଟିମ୍ ଇଣ୍ଡିଆ ପାଇଁ ୧୧ ଟେଷ୍ଟ, ୪୭ ଦିନିକିଆ ଏବଂ ୨୫ ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ସେ ୧୨୯ ଉଇକେଟ ନେଇଛନ୍ତି ଏବଂ ୫ଟି ଅର୍ଦ୍ଧଶତକ ସହାୟତାରେ ୭୨୯ ରନ୍ ମଧ୍ୟ କରିଛନ୍ତି। ଶାର୍ଦ୍ଦୁଳ ୨୦୨୩ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ସେ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଏବଂ ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଭାରତୀୟ ଦଳର ଅଂଶ ଥିଲେ। କିନ୍ତୁ ସେବେଠାରୁ ସେ ଟିମ ଇଣ୍ଡିଆକୁ ଫେରିପାରି ନାହାନ୍ତି।