Categories: Home Leftଖେଳ

ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଦେବାକୁ ପଡ଼ିବ ବ୍ରୋନକୋ ଟେଷ୍ଟ: ବ୍ରୋନକୋ ଟେଷ୍ଟ କ’ଣ ଜାଣନ୍ତୁ…

ମୁମ୍ବାଇ,୨୧ା୮: ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶୀର୍ଷସ୍ତରର ଫିଟ୍‌ନେସକୁ ବଜାୟ ରଖିବା ପାଇଁ ବିସିସିଆଇ ରଗବୀ କେନ୍ଦ୍ରୀୟ ବ୍ରୋନକୋ ଟେଷ୍ଟ ଆଣିବାକୁ ଯାଉଛି। ଏ ନେଇ ଏକ ଜାତୀୟ ଇଂରାଜୀ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏହି ବ୍ରୋନକୋ ଟେଷ୍ଟରେ ୨୦, ୪୦ ଓ ୬୦ ମିଟିର ବିଶିଷ୍ଟ ଅନେକ ଶଟଲ ଦୌଡ଼ିବାକୁ ହୋଇଥାଏ। ରିପୋର୍ଟ ମୁତାବକ, ଭାରତୀୟ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ କୋଚ୍‌ ଆଡ୍ରିଆନ ଲେ ରକ୍ସ ବ୍ରୋନକୋ ଟେଷ୍ଟ ଲାଗି ପରାମର୍ଶ ଦେଇଥିଲେ। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଫିଟ୍‌ନେସ ଟେଷ୍ଟ ସମ୍ପର୍କରେ ତାଙ୍କ ସହ ଏକମତ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ବେଳେ ଦେଖାଇଥିବା ଫିଟ୍‌ନେସ ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।

ଖେଳାଳିଙ୍କ ଫିଟ୍‌ନେସ ପରୀକ୍ଷା କରିବା ଲାଗି ୟୋ-ୟୋ ଟେଷ୍ଟ ସହିତ ୨ କିମି ବିଶିଷ୍ଟ ରେସକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଟାର୍ଗେଟ ଦିଆଯାଉଛି। ଉକ୍ତ ରିପୋର୍ଟ ମୁତାବକ, ଦଳର କିଛି ମୁଖ୍ୟ ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସିଲେନ୍ସିରେ ବ୍ରୋନକୋ ଟେଷ୍ଟର ସମ୍ମୁଖୀନ ହୋଇସାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବ୍ରୋନକୋ ଟେଷ୍ଟ ୨୦ ମିଟର ଶଟଲ ରନ ସହ ଆରମ୍ଭ ହୋଇଥାଏ। ଏହାପରେ ୪୦ ଓ ୬୦ ଶଟଲ ରନ ଦୌଡ଼ିବାକୁ ହୁଏ। ଖେଳାଳିଙ୍କୁ ଏହି ଓ୍ବାର୍କ ଆଉଟ୍‌ର ୫ ସେଟ୍‌, ବିନା କୌଣସି ବ୍ରେକରେ ଏବଂ ୬ ମିନିଟ୍‌ ମଧ୍ୟରେ ଶେଷ କରିବାକୁ ଟାଗେର୍ଟ ଦିଆଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏଥିସହିତ ବୋଲରଙ୍କୁ ଜିମ୍‌ରେ ଅଧିକ ପରିଶ୍ରମ କରିବା ପରିବର୍ତ୍ତେ ଅଧିକ ଦୌଡ଼ିବାକୁ ପରାମର୍ଶ ଦିଆଯାଇଛି