ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରୁ ଏମ୍‌ଏ, ଏମ୍‌.ଫିଲ ଓ ପିଏଚ୍‌ଡି ଡିଗ୍ରୀ ସହ ପ୍ରଦର୍ଶନ କଳା ନାଟ୍ୟ ନିର୍ଦ୍ଦେଶନା ବିଭାଗରେ ମଧ୍ୟ ଏମ୍‌ଏ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ୩ବର୍ଷ ଓ ଆଗଲପୁର ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟରେ ୧୨ ବର୍ଷ ଅଧ୍ୟାପନା କରିଛନ୍ତି। ସମ୍ପ୍ରତି ଆଗଲପୁର ପଞ୍ଚାୟତ ସମିତି ରୋତ ବାଣୀନିକେତନ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା ଟିକିରାପଡାର ଶୁକଦେବ ମେହେର ଓ ଗୋଲାପୀ ମେହେରଙ୍କ ପୁତ୍ର ଲିଙ୍ଗରାଜ। ୧୯୮୨ ମସିହାରେ ଜନ୍ମିତ ଡ. ଲିଙ୍ଗରାଜ ପିଲାଟି ଦିନରୁ ମୁହଁରେ ରଙ୍ଗମାଖି ଅନେକ ମଞ୍ଚରେ ଅଭିନୟ କରିଛନ୍ତି। ପରେ ନାଟ୍ୟରଚନା ଓ ନିର୍ଦ୍ଦେଶନା ଦେଇ ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ସେ ଜଣେ କଣ୍ଠଶିଳ୍ପୀ ଭାବରେ ମଧ୍ୟ ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ୨୦୦୪ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନାଟ୍ୟ ସଂସଦର ସମ୍ପାଦକ ଥିବାବେଳେ ତତ୍କାଳୀନ ବରଗଡ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ମହାରାଜ କଂସ ଗୋପାଳ ସାହୁଙ୍କଠାରୁ ପ୍ରେରଣା ପାଇ ଦିନେ ନା ଦିନେ ସେହି ମଞ୍ଚରେ କଂସ ଭୂମିକାରେ ଅଭିନୟ କରିବାର ଇଚ୍ଛା କରିଥିଲେ। ଚଳିତବର୍ଷ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜ କଂସ ଭୂମିକା ପାଇଁ ହୋଇଥିବା ଅଡିସନ ଦେଇ ଦର୍ଶକ ମହଲରେ ପ୍ରଶଂସିତ ମଧ୍ୟ ହୋଇପାରିଛନ୍ତି। ସମୟ ଅଭାବରୁ ଅନେକ ମଞ୍ଚରେ ଅଭିନୟ ପାଇଁ ନିମନ୍ତ୍ରଣ ଆସୁଥିଲେ ମଧ୍ୟ ତାହା କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। କିନ୍ତୁ, ମନରେ ଅନେକ ଆଶା ଓ ବିଶ୍ବାସ ରହିଛି ଦିନେ ନା ଦିନେ ସେହି ବିଶ୍ବ ପ୍ରସିଦ୍ଧ ମଞ୍ଚରେ ମହାରାଜ କଂସ ଭୂମିକାରେ ଅଭିନୟ କରି ନିଜର ନିଖୁଣ ଅଭିନୟ ଦେଖାଇବା ସହ ତାର ମାନକୁ ଆହୁରି ଊର୍ଦ୍ଧ୍ୱକୁ ନେଇ ପାରିବେ ବୋଲି କହିଛନ୍ତି।

Dharitri – The Largest & Most Trusted Odia Daily