ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଭଞ୍ଜନଗରଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟାର ଡାକରାରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ଜିଲା ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ଅମର ବିଳାସ ବେହେରା, ଅଧ୍ୟକ୍ଷ ତଥା ବ୍ଲକ ଓଷ୍ଟା ସମ୍ପାଦକ ଗୌରୀ ନନ୍ଦନ ହୋତା, ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, କାମରାଜୁ ଗୌଡ଼, ସତ୍ୟବାନ ସାହୁ, ସରୋଜ ଲଷ୍ମୀ ଦାସ ଯୋଗଦେଇ ୧୯୪ ଉଚ୍ଚ ବିଦ୍ୟାଳୟକୁ ସରକାରୀ ଅନୁଦାନ ଦେବା, ନିୟୁ ଏଇଡେଡ଼ ହାଇସ୍କୁଲର ଚାକିରି ସର୍ତ୍ତାବଳୀ, ଶିକ୍ଷକଙ୍କ ଅବସର ବୟସକୁ ୬୨ ବର୍ଷ କରିବା, ସମସ୍ତ ବିଦ୍ୟାଳୟକୁ ସରକାରୀକରଣ ସହ ଅନ୍ୟାନ୍ୟ ଦାବି ଉପରେ ଆଲୋଚନା କରାଯାଇ ଏହାକୁ ସରକାର ଗ୍ରହଣ କରିବା ପାଇଁ ଦାବି ଉପସ୍ଥାପନା କରାଯାଇଥିଲା । ଯଦି ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ ନ କରନ୍ତି ତାହାହେଲେ ଆଗାମୀ ଦିନରେ ସମନୟ ସମିତି ତରଫରୁ ରାଜ୍ୟ ସ୍ତରରୁ ବିଶାଳ ଆନ୍ଦୋଳନ କରାଯିବା ପାଇଁ ବୈଠକରେ ସ୍ଥିର କରାଗଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଭାସ୍କର ପାଣି, ସନତ କୁମାର ଦଳବେହେରା, ଶରତ ଚନ୍ଦ୍ର ମହାରଣା, ମନୋରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ସତ୍ୟବାନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଭାରେ ବହୁ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।