ଆଜି ପବିତ୍ର ଗୁରୁଦିବସ। ଆଜିର ଏହି ପବିତ୍ର ଗୁରୁଦିବସରେ ସାରା ରାଜ୍ୟର ଗୁରୁ, ଆଧୁନିକ ଯୁଗର ଶିକ୍ଷକ ସମାଜକୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ନୂଆ ଓଡ଼ିଶାର ଭିତ୍ତିଭୂମି ଆମର ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନଗୁଡିକର କର୍ଣ୍ଣଧାର ଆମର ଶିକ୍ଷକ ସମାଜ। ଶିକ୍ଷକଙ୍କ ସମେତ ସେମାନଙ୍କର ପରିବାର ବର୍ଗ ଏବଂ ସନ୍ତାନରୂପୀ ଛାତ୍ର ସମାଜକୁ ମଧ୍ୟ ଏହି ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ଗୁରୁ ଶିଷ୍ୟର ପରମ୍ପରା ଆମ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ହଜାର ହଜାର ବର୍ଷ ଧରି ଋଦ୍ଧିମନ୍ତ କରିଆସିଛି। ଆଜି ଆମ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି, ଶିକ୍ଷକ, ଦାର୍ଶନିକ ତଥା ଭାରତୀୟ ସଂସ୍କୃତିର ଆଗଧାଡିର ବ୍ୟକ୍ତିତ୍ୱ ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ପବିତ୍ର ଜୟନ୍ତୀ। ଆଜିର ପବିତ୍ର ଦିବସରେ ଏହିପରି ଜଣେ ଅନନ୍ୟ ଗୁରୁଜୀଙ୍କୁ କୋଟି କୋଟି ପ୍ରଣାମ। ନିଜ ଜନ୍ମଦିନକୁ ବ୍ୟକ୍ତିଗତ ଭାବରେ ପାଳନ ନ କରି ଦେଶର ପୂରା ଶିକ୍ଷକ ସମାଜ ପାଇଁ ସମର୍ପିତ କରିଥିଲେ ସେ। ଦେଶର ଭବିଷ୍ୟତର ବ୍ଲୁ ପ୍ରିଣ୍ଟ ଶ୍ରେଣୀଗୃହରୁ ପ୍ରସ୍ତୁତ ହୁଏ। ସାମଗ୍ରିକ ଭାବେ ଶିକ୍ଷକମାନେ ହିଁ ଦେଶ ଭବିଷ୍ୟତ ଅର୍ଥାତ୍ ନୂଆ ପିଢ଼ିକୁ ଗଢ଼ିବାର କର୍ଣ୍ଣଧାର। ଏକଥା ଆମ ଦ୍ୱିତୀୟ ରାଷ୍ଟ୍ରପତି ତାଙ୍କ ଜନ୍ମଦିନକୁ ଶିକ୍ଷକମାନଙ୍କୁ ସମର୍ପିତ କରି ଏହାର ସ୍ପଷ୍ଟ ସନ୍ଦେଶ ଦେଶକୁ ଦେଇଛନ୍ତି। ହୁଏତ ୧୯୬୨ରୁ ଆଧୁନିକ ସ୍ବାଧୀନୋତ୍ତର ଭାରତରେ ଦେଶ ଗୁରୁଦିବସ ପାଳନ କରୁଛି। ମାତ୍ର ଅନାଦି ଅନନ୍ତ କାଳରୁ ସନାତନ ସଭ୍ୟତାରେ ଗୁରୁଙ୍କୁ ଅନନ୍ୟ ମାନ୍ୟତା ସହ ମହର୍ଷି ବ୍ୟାସଙ୍କ ସମ୍ମାନାର୍ଥେ ବ୍ୟାସ ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବରେ ମଧ୍ୟ ଦେଶ ପାଳନ କରିଆସୁଛି।
ପୌରାଣିକ ବିଶ୍ୱାସ ଆଧାରରେ ପବିତ୍ର ବେଦର ସଂକଳକ ହେଉଛନ୍ତି ମହର୍ଷି ବ୍ୟାସ। ବିଶ୍ୱରେ ଅନେକ ମତ-ପନ୍ଥର ସୃଷ୍ଟି ହୋଇଛି। ସବୁ ବିଶ୍ୱାସ ନମସ୍ୟ ଓ ପ୍ରଣିପାତଯୋଗ୍ୟ। କିନ୍ତୁ ଆମର ବେଦ ସମୂହଙ୍କୁ ଧର୍ମ ଗ୍ରନ୍ଥରେ ସୀମିତ କରିବା ସମୀଚୀନ ନୁହେଁ। ଆମ ବେଦରେ ଗଣିତ, ଚିକିତ୍ସା ଶାସ୍ତ୍ର, ଜ୍ୟୋତିର୍ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ସମେତ ଜ୍ଞାନର ଭଣ୍ଡାର ଲୁଚିରହିଛି। ଯୁଗଯୁଗ ଧରି ସାରା ଦୁନିଆର ବୈଜ୍ଞାନିକ ଓ ଚିନ୍ତାନାୟକଙ୍କ ମୁହଁରେ ଭାରତର ଜ୍ଞାନ ପରମ୍ପରାର ଜୟଜୟକାର ହେବାର ହିଁ ଶୁଣାଯାଇଛି। ଆଜି ପବିତ୍ର ଗୁରୁଦିବସରେ ଭାରତର ଅନନ୍ୟ ଜ୍ଞାନ ଓ ଗୁରୁ ପରମ୍ପରାକୁ ମୁଣ୍ଡ ନୁଆଇଁ ପ୍ରଣାମ କରୁଛି। ଭାରତୀୟ ଜ୍ଞାନ ପରମ୍ପରାର ପ୍ରବହମାନ ଗଙ୍ଗା ସମଗ୍ର ଭାରତ ସମେତ ଆମ ରାଜ୍ୟ ଓଡ଼ିଶାକୁ ଆହୁରି ସମୃଦ୍ଧ କରୁ, ସବୁ ଗୁରୁଙ୍କ ଗୁରୁ ଓଡ଼ିଶାର ପରମ ଇଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆଜି ଦିନରେ ଏତିକି ପ୍ରାର୍ଥନା।
ପାଠପଢ଼ା ପରେ ମୋର ପ୍ରାରମ୍ଭିକ ଜୀବନରେ ଶିକ୍ଷକତା କରିବାର ଅନୁଭବ ମୋ ପାଖରେ ଅଛି। ଛୋଟ ଛୋଟ ପିଲାମାନଙ୍କୁ ଶ୍ରେଣୀ ଗୃହରେ ପାଇବା, ଖେଳ ପଡ଼ିଆର ଚପଳତା ତଥା ସେମାନଙ୍କ ଅଭିଭାବକମାନଙ୍କ ସହ ପିଲାମାନଙ୍କ ବିଷୟରେ ଆଲୋଚନାର ସ୍ମୃତି ଆଜି ବି କାଲି ପରି ଲାଗୁଛି। ଗୁରୁ ଦିବସରେ ପିଲାମାନଙ୍କର ଗୁରୁପୂଜନ ଓ ଗୁରୁ ଭାବରେ ସେ ସୌଭାଗ୍ୟର ଅଧିକାରୀ ହେବାର ସ୍ମୃତି ବୋଧେ ମୋ ଜୀବନର ସୁବର୍ଣ୍ଣ ପୃଷ୍ଠା ଭାବରେ ମୋର ମନେରହିବ।
ମୋର ପ୍ରିୟ ଓଡ଼ିଶାର ଭାଇଭଉଣୀମାନେ, ଆପଣମାନେ ଆଶା, ଭରସା ଓ ବିଶ୍ୱାସର ସହ ରାଜ୍ୟକୁ ଚଳାଇବାର ଭାର ବିଜେପି ହାତରେ ଦେଇଛନ୍ତି। ଆମେ ଆମ ସ୍ବାଧୀନତାର ଅମୃତ କାଳରେ ଅଛେ। ୨୦୩୬ ମସିହାରେ ଆମ ରାଜ୍ୟ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଏବଂ ୨୦୪୭ରେ ଆମ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବ। ଆମର ବଡ଼ ଲକ୍ଷ୍ୟ ୨୦୪୭ ମସିହାରେ ବିକଶିତ ଭାରତର ମୂଳଦୁଆ ହେବ ଓଡ଼ିଶା। ସେଥିପାଇଁ ମୋ ସରକାର ୨୦୩୬ ପାଇଁ ମାନେ ଆଗାମୀ ୧୦-୧୧ ବର୍ଷର ଏକ ଯୋଜନାବଦ୍ଧ କାର୍ଯ୍ୟଯୋଜନା ଆଧାରରେ ସମୟବଦ୍ଧ ଲକ୍ଷ୍ୟ ଆଧାରିତ ସଫଳତା ପାଇଁ ବଦ୍ଧପରିକର। ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ଆମର ଶିକ୍ଷାନୁଷ୍ଠାନମାନଙ୍କରୁ ପଡ଼ିବ। ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା, ଟେକ୍ନିକାଲ ଶିକ୍ଷା ହେଉ କି ଡାକ୍ତରୀ ପାଠ ପୁଣି ଦକ୍ଷତା ବିକାଶର ପାଠ୍ୟ ବ୍ୟବସ୍ଥା ସବୁକୁ ଲକ୍ଷ୍ୟ ଆଧାରିତ କରି ଆମେ ସମୃଦ୍ଧ ଓଡ଼ିଶା ଗଢିବାକୁ ବଦ୍ଧପରିକର। ଏସବୁ ଭିତରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଗୁରୁତ୍ୱ ସବୁଠାରୁ ବେଶି।
ସ୍ବାଧୀନୋତ୍ତର ଭାରତର ସାଢ଼େ ସାତ ଦଶକରୁ ଗଣତନ୍ତ୍ର ଓ ବିକାଶର ଯାତ୍ରାରେ ହୁଏତ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବିକାଶ ମାପଦଣ୍ଡରେ ଓଡ଼ିଶା ପଛରେ ଥାଇପାରେ। ମାତ୍ର ସାଧାରଣ ଓଡ଼ିଆ ଘରର ପିଲାମାନଙ୍କର ମେଧା ଶକ୍ତି ସାରା ଭାରତ ଏବଂ ବିଶ୍ୱକୁ ପ୍ରଭାବିତ କରିବାରେ ସଫଳ ହୋଇଛି ଏହା ମୁଁ ଦୃଢ଼ତାର ସହିତ କହିପାରେ। ଗତ କିଛିଦିନ ତଳେ ନୂଆଦିଲ୍ଲୀର ସେମିକଣ୍ଡକ୍ଟର ନେଇ ଏକ ବଡ଼ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆୟୋଜକ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ସାମିଲ ହେବାର ସୁଯୋଗ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱ ଭାରତକୁ ବିଶ୍ୱାସ କରୁଛି। ସାରା ବିଶ୍ୱର ରାଷ୍ଟ୍ର ସମୂହ ନିଜର ସେମିକଣ୍ଡକ୍ଟରର ଭବିଷ୍ୟତ ଭାରତ ସହ ଗଢିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ, ଭାରତର ଛୋଟିଆ ଚିପ୍ ବିଶ୍ୱରେ ସବୁଠାରୁ ବଡ଼ ପରିବର୍ତ୍ତନର ବାର୍ତ୍ତାବହ ହେବ। ଏହି କାର୍ଯ୍ୟକ୍ରମରେ ଜଣେମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ଯୋଗଦେବା ମୋ ପାଇଁ ଗୌରବର ସମୟ ଥିଲା। ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କର ସେମିକଣ୍ଡକ୍ଟର ବିକାଶରେ ବଡ଼ ଭୂମିକା ସେଦିନ ସାରା ଭାରତକୁ ପ୍ରଭାବିତ କରିଥିଲା। ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ପିଲାମାନେ ପ୍ରସ୍ତୁତ କରିଥିବା ହାଇ ପରଫରମାନ୍ସ ମଲ୍ଟିପ୍ଲେୟାର ଆଇସି ସି୨ଏସ୍୦୦୬୧ ଚିପ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା। ସାରା ବିଶ୍ୱର ଓଡ଼ିଆମାନେ ଗର୍ବିତ ହୋଇଥିବେ ନିଶ୍ଚୟ। ଏହା ତ ଓଡ଼ିଆ ଜାତିର ବୌଦ୍ଧିକ ଶକ୍ତିର ନବ ଜାଗରଣର ପ୍ରମାଣ। ଓଡ଼ିଆ ଜାତିର ଆଗାମୀ ଦଶନ୍ଧିର ବଡ଼ ବିକାଶର କେନ୍ଦ୍ର ଆମ ଶିକ୍ଷାନୁଷ୍ଠାନ ହେବ। ଯଦି ସାଧାରଣ ଓଡ଼ିଆ ଘରର ପିଲାମାନଙ୍କ ମେଧାଶକ୍ତିକୁ ଆମର ଶ୍ରେଣୀଗୃହ ଓ ଶିକ୍ଷକ ସମାଜ ଉତ୍ପ୍ରେରକର ଭୂମିକା ନେବ ତାହାହେଲେ ୨୦୩୬ ମସିହାରେ ଆମର ସମୃଦ୍ଧ ଓଡ଼ିଶାର ସ୍ବପ୍ନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିଶ୍ଚୟ ପୂର୍ଣ୍ଣ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତକୁ ବିଶ୍ୱର ନବସୃଜନର କେନ୍ଦ୍ରରେ ରଖିଛନ୍ତି। ଆମେ ଓଡ଼ିଆମାନେ ଭାରତର ନବସୃଜନର କେନ୍ଦ୍ର ହୋଇପାରିବା। ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଅତ୍ୟାଧୁନିକ ଚିପ୍କୁ ଦେଶର ସ୍ବୀକୃତି ଏହାର ଅୟମାରମ୍ଭ ମାତ୍ର।
ଅଳ୍ପ କିଛି ଦିନ ତଳେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୋ ସରକାର ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ନୂତନ ଶିକ୍ଷାନୀତି ୨୦୨୦ ଆଧାରରେ ରାଜ୍ୟର ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷକ ସମାଜ ଆମର ମୂଳ ଆଧାର। ରାଜ୍ୟରେ ବର୍ତ୍ତମାନ ୪୫, ୨୯୨ଟି ପ୍ରାଥମିକ ବିଦ୍ୟାଳୟରେ ୧, ୬୦, ୩୧୯ ପଦବୀ ରହିଛି। ମୋ ସରକାର ଏହା ସହ ଆଉ ୩୯,୩୬୬ଟି ନୂତନ ଶିକ୍ଷକ ପଦବୀ ସୃଷ୍ଟି ପାଇଁ ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି। ଆଗାମୀ ୩ ବର୍ଷ ମଧ୍ୟରେ ୪୪, ୪୩୩ଟି ଶିକ୍ଷକ ପଦବୀ ପୂରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହ ପର୍ଯ୍ୟାୟକ୍ରମେ ଏହାକୁ ପୂରଣର ବ୍ୟବସ୍ଥା ତିଆରି କରାଯାଇଛି।
ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ଅଛି ବୋଲି ମତପ୍ରକାଶ ପାଇ ଆସିଛି। ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ (BSE) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)କୁ ମିଶାଇ ଗୋଟିଏ ବୋର୍ଡ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉଥିବାବେଳେ ନବମ ଓ ଦଶମ ଶ୍ରେଣୀର କେବଳ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଆବାସିକ ବ୍ୟବସ୍ଥାରେ ଛାତ୍ରାବାସରେ ରହୁଥିବା ପ୍ରତି ୩୦୦ ଛାତ୍ରୀଛାତ୍ରମାନଙ୍କ ପାଇଁ ଜଣେ ଏଏନ୍ଏମ୍ ବା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।
ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ମୋ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପରିକଳ୍ପନା କରିଛନ୍ତି। ରାଜ୍ୟର ସବୁ ପଞ୍ଚାୟତରେ ଏହିପରି ବିଦ୍ୟାଳୟ ସ୍ଥାପନର ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ ପ୍ରଥମ ପର୍ଯ୍ୟାୟରେ ୮୩୫ଟି ଏହି ବିଦ୍ୟାଳୟଗୁଡ଼ିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର୍ ସ୍କୁଲ ଭାବରେ ପରିକଳ୍ପନା କରାଯାଇଛି। ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ କରାଯାଇଛି।
ପଞ୍ଚାୟତ ସ୍ତରରେ ଏହି ସ୍କୁଲଗୁଡ଼ିକରେ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରେ ଜାତୀୟ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ବିଭିନ୍ନ ଗ୍ରାମରୁ ଛାତ୍ରୀଛାତ୍ରମାନଙ୍କୁ ସ୍କୁଲକୁ ନେବା ଆଣିବା କରିବାର ବ୍ୟବସ୍ଥା କରାଯିବ। ଏହି ସ୍କୁଲଗୁଡ଼ିକର ମୂଳଦୁଆ ହେବେ ଶିକ୍ଷକମାନେ। ଶିକ୍ଷକ ଚୟନ ପ୍ରକ୍ରିୟାରେ ଉନ୍ନତ ପଦକ୍ଷେପ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ବିକାଶ ପାଇଁ ବିଶେଷ ଧ୍ୟାନ ଦେବାର ବ୍ୟବସ୍ଥା କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ STEM ଅର୍ଥାତ୍ (ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମାଥ୍ମେଟିକ୍ସ) ସହ ବୃତ୍ତିଗତ ଦକ୍ଷତା ଓ ଅଭିଜ୍ଞତାମୂଳକ ଶିକ୍ଷା ସମେତ ବହୁବିଧ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ।
ମୋର ପ୍ରିୟ ଶିକ୍ଷକ ସମାଜ… ଶିକ୍ଷା ଭିତ୍ତିଭୂମି ବିକାଶର ବ୍ୟବସ୍ଥା କରିବାରେ ମୋ ସରକାର ତିଳେମାତ୍ର ଅବହେଳା କରିବେ ନାହିଁ। ସ୍କୁଲ କାନ୍ଥରେ ରଙ୍ଗମାରି ରୂପାନ୍ତରୀକରଣର ପ୍ରଚାର ମୋ ସରକାରର ଆଭିମୁଖ୍ୟ ନୁହେଁ। ଉପଯୁକ୍ତ ଶିକ୍ଷକ ଏବଂ ସେମାନଙ୍କର ବିକାଶ ସହ ଛାତ୍ରୀଛାତ୍ରଙ୍କର ଯତ୍ନ ଆମ ରୂପାନ୍ତରୀକରଣର କେନ୍ଦ୍ରବିନ୍ଦୁ। ଆପଣ ଖାଲି ପରିବାର ଚଳାଇବା ପାଇଁ, ଦରମା ପାଇଁ କାମ କରୁ ନାହାନ୍ତି। ଆପଣ ଓଡ଼ିଶାର ଭବିଷ୍ୟତ ଗଢ଼ିବାର ଅନ୍ତୁଡ଼ିଶାଳରେ ବସିଛନ୍ତି। ଆପଣଙ୍କ ନିଷ୍ଠାପର ଉଦ୍ୟମ ପିଲାଙ୍କ ଭବିଷ୍ୟତ ତ ଗଢ଼ିବ, ମାତ୍ର ଏହା ମଧ୍ୟ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବ। ଆପଣଙ୍କ ନିଷ୍ଠା ପ୍ରକୃତ ପକ୍ଷେ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା କରିବ । ଏହି ଆଶା ଓ ଭରସା ସାରା ଓଡ଼ିଶାବାସୀ ଆପଣଙ୍କ ଉପରେ ରଖିଛନ୍ତି। ପବିତ୍ର ଗୁରୁଦିବସରେ ପୁଣି ଆଉ ଥରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ମୋହନ ଚରଣ ମାଝୀ
ଜୟ ଜଗନ୍ନାଥ
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର