ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷକ: ରାଗରେ ୯ମ ଶ୍ରେଣୀ ଛାତ୍ର ନେଲେ ଏମିତି ପଦକ୍ଷେପ

ଡେରାଡୁନ୍‌, ୨୨ା୮:ଉତ୍ତରାଖଣ୍ଡର ଉଧାମ ସିଂ ନଗର ଜିଲା କାଶୀପୁରସ୍ଥିତ ଗୁରୁ ନାନକ ପ୍ରାଇଭେଟ ସ୍କୁଲରୁ ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ମାମଲା ସାମ୍‌ନାକୁ ଆସିଛି। ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପଢ଼ାଉଥିବା ଗଗନଦୀପ ସିଂ କୋହଲୀ କିଛିଦିନ ତଳେ ନବମ ଶ୍ରେଣୀ ଛାତ୍ର ସମର୍ଥ ବାଜଓ୍ବାଙ୍କୁ ଚାପୁଡ଼ା ମାରିଥିଲେ। ସମର୍ଥ ଏହାର ପ୍ରତିଶୋଧ ନେବା ପାଇଁ ବୁଧବାର ଶ୍ରେଣୀଗୃହ ମଧ୍ୟରେ ଗଗନଦୀପଙ୍କୁ ଗୁଳି କରିଛନ୍ତି। ଗଗନଦୀପଙ୍କ ଡାହାଣ କାନ୍ଧରେ ଗୁଳି ଲାଗିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମର୍ଥ ନିଜ ଟିଫିନ ବାକ୍ସ ମଧ୍ୟରେ ବନ୍ଧୁକ ଲୁଚାଇ ସ୍କୁଲକୁ ଆଣିଥିଲେ ବୋଲି ପୋଲିସ କହିଛି। ପୋଲିସ ବନ୍ଧୁକ ଜବତ କରିବା ସହ ସମର୍ଥଙ୍କୁ ଗିରଫ କରିଛି। ଗଗନଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ଆଇସିୟୁରେ ତାଙ୍କର ଚିକିତ୍ସା ଜାରି ରହିଛି ବୋଲି ଗୁରୁବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।