ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଆଠଗଡ଼ିଆ ସାହିର ସ୍ବର୍ଗତ ବିପ୍ର ସେଠୀଙ୍କ ପୁଅ ପିଙ୍କୁ ସେଠୀ ଗାଡ଼ି ଚାଳକ ଭାବେ କାର୍ଯ୍ୟକରନ୍ତି। ତାଙ୍କ ମହାନତା ଆଜି ଚର୍ଚ୍ଚାରବିଷୟ ପାଲଟିଛି। ତାଙ୍କୁ ରାସ୍ତାରୁ ଏକ ଟଙ୍କା ଭର୍ତ୍ତି ମନିପର୍ସ ମିଳିଥିଲା। ହେଲେ ସେ ଲୋଭ ନ କରି ଉକ୍ତ ପର୍ସକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି। ତାଙ୍କର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।
ବ୍ରହ୍ମପୁର ଗୋବିନ୍ଦ ବିହାର – ୭ ରେ ରହୁଥିବା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ସନ୍ତୋଷ କୁମାର ବିଷୋୟୀ ଚଷାନିମଖଣ୍ଡି ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।ଗତ ସୋମବାର ଅସାବଧାନତା କାରଣରୁ ତାଙ୍କ ମନିପର୍ସଟି କେଉଁଠି ପଡିଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ମିଳି ନ ଥିଲା। ଗାଡ଼ି ଚାଳକ ପିଙ୍କୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରାସ୍ତାରୁ ମନିପର୍ସଟି ପାଇଥିଲେ । ସେଥିରେ ତାଙ୍କ ଟଙ୍କା ଥିବା ସହ ୨ ଟି ଏଟିଏମ୍ କାର୍ଡ , ଡ୍ରାଇଭିଂ ଲାଇସେନ୍ସ, ବାଇକ କାଗଜପତ୍ର , ଆଧାର କାର୍ଡ,ଭୋଟ କାର୍ଡ ଏବଂ ପାନ କାର୍ଡ ଭଳି ବହୁ ମୂଲ୍ୟବାନ କାଗଜପତ୍ର ରହିଥିଲା ।
ଏନେଇ ପିଙ୍କୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କ ସହଯୋଗ ଲୋଡିଥିଲେ । ପରେ ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ଶିକ୍ଷକ ଜଣକ ବ୍ରହ୍ମପୁରରେ ରହୁଥିବା ଖବର ପାଇଥିଲେ । ମଙ୍ଗଳବାର ସକାଳୁ ପିଙ୍କୁ ଶିକ୍ଷକଙ୍କ ମୋବାଇଲ ଫୋନରେ କଥା ହୋଇ ତାଙ୍କ ବାସଭବନ ରେ ପହଞ୍ଚି ମିଳିଥିବା ମନିପର୍ସଟି ତାଙ୍କୁ ଫେରାଇ ଦେଇଥିଲେ । ମନିପର୍ସ ହଜିବା ପରେ ମାନସିକ ଚାପରେ ଥିବା ଶିକ୍ଷକ ଜଣକ ଗାଡ଼ି ଚାଳକ ଙ୍କ ଏଭଳି ମହାନତା ଯୋଗୁଁ ଖୁସି ହେବା ସହ ଧନ୍ୟବାଦ ଜଣାଇଥିଲେ । ପିଙ୍କୁ ଙ୍କ ଏଭଳି କାର୍ଯ୍ୟକୁ ଦିଗପହଣ୍ଡି ଅଞ୍ଚଳବାସୀ ପ୍ରଶଂସା କରିଥିବା ଜଣାପଡିଛି ।