ଚିକିଟି,୯।୭(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲ୍ଲା କେ.ନୂଆଗାଁ ଥାନା ଇଲାକାରେ ଏବେ ଆଇନାଶୃଙ୍ଖଳା ବ୍ୟବସ୍ଥା ବିଗିଡିବାରେ ଲାଗିଛି। ବୁଧବାର ଜଣେ ଶିକ୍ଷକ ରାଜେଶ କୁମାର ପାତ୍ରଙ୍କୁ ରାସ୍ତାରୁ ୪ ଜଣ ଯୁବକ ଉଠାଇ ଏକ ନିର୍ଜନ ସ୍ଥାନରେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏପରିକି ତାଙ୍କୁ ପକେଟରେ ଥିବା ଟଙ୍କା ଲୁଟ କରିବା ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଶିକ୍ଷକ ସ୍କୁଲ ଯାଉଥିବାବେଳେ ତାଙ୍କୁ ଯେପରି ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏ ନେଇ ଶିକ୍ଷକ ମହଲରେ ଚିନ୍ତାର ବିଷୟ ପାଲଟିଥିବାବେଳେ ସାଧାରଣରେ ଏହାକୁ ନେଇ ଦୃଢ଼ ନିନ୍ଦା କରାଯାଇଛି। ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଲୁଟେରାଙ୍କୁ ଠାବ କରିବା ପାଇଁ ପ୍ରସ୍ତୁତି ଚଳାଇଛି।
ପ୍ରତିଦିନ ପ୍ରତିଦିନ ଭଳି ଉକ୍ତ ଶିକ୍ଷକ ବୁଧବାର ସକାଳ ନିଜ ଘରୁ ବାଇକ ଧରି ଚିକିଟି ପେଣ୍ଠସ୍ଥିତ ଏକ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇ ଭାୟା ଡଭାର ଚାନ୍ଦପୁର ଦେଇ ନିଜ ସ୍କୁଲ ପୁହୁଣ୍ଡି କୁ ଯିବା ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ପିଛାକରି ମା’ ରତନେଇ ମନ୍ଦିର ଡୁମାଣି ନିକଟରେ ପହଞ୍ଚି ଶିକ୍ଷକଙ୍କୁ ଅଟକାଇଥିଲେ। ସେମାନେ ରାସ୍ତାରୁ ତାଙ୍କୁ ଉଠାଇ ନେଇ ଏକ ନିର୍ଜନ ସ୍ଥାନରେ ତାଙ୍କୁ ଟଙ୍କା ମାଗିଥିଲେ।
ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଏକ ଖଣ୍ଡାରେ ତାଙ୍କ ଗୋଡ଼, ହାତକୁ ଆକ୍ରମଣ କରିଥିଲେ। ଏପରିକି ଶିକ୍ଷକଙ୍କ ପକେଟରେ ଥିବା ୪ ହଜାର ଟଙ୍କା ଧରି ସେଠାରୁ ଚମ୍ପଟ ମାରିଥିଲେ। ଶିକ୍ଷକଙ୍କର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିଟିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଆହତ ରାଜେଶ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଲୂଟେରାସ୍ମାନେ ଖୁଲମଖୋଲା ସ୍ପଷ୍ଠ ଦିବାଲୋକରେ ପୋଲିସକୁ ଚାଲେଞ୍ଜ ଦେଇ ଯେଉଁକାଣ୍ଡ ଘଟାଇଛନ୍ତି, ତାହାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି।