ଗୁରୁ ଦିବସରେ ଶିକ୍ଷକନେତାଙ୍କୁ ଚୁନ ମାରିଦେଲେଦେଲେ: ନେଇଗଲେ ୩ଲକ୍ଷ ୫୩ ହଜାର

ପାଟଣା,୫ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ୨ ବ୍ୟାଙ୍କ ଅକାଉଣ୍ଟ ସହ ଏକ କ୍ରେଡିଟ କାର୍ଡରୁ ଚତୁରତା ସହ ହ୍ୟାକର ମୋଟ ୩ ଲକ୍ଷ ୫୩ ହଜାର ଠକି ନେଇଛନ୍ତି। ଏ ନେଇ ସେ ପାଟଣା ଥାନା, କେନ୍ଦୁଝର ସାଇବାର ଶାଖାରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଶିକ୍ଷକ ଜଣଙ୍କ ବର୍ତ୍ତମାନ ପାଟଣା ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ ଅଛନ୍ତି। ତାଙ୍କ ହ୍ବାଟ୍ସଆପକୁ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ନମ୍ବରରୁ ଆରଟିଓ ଇ -ଚାଲାଣର ଏକ ଆପ ଆସିଥିଲା। ଯେହେତୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମେସେଜ ଆସିଥିଲା, ତାକୁ ବିଶ୍ୱାସ କରି ଶିକ୍ଷକ ଆପ୍‌କୁ ଖୋଲିି ସେଠାରେ ମଗାଯାଇଥିବା ତଥ୍ୟ ଭରିବା ସହ ନିଜର ଆଧାର ନମ୍ବର ନିଜ ନା ଓ ମା’ଙ୍କ ନାମ ଏଣ୍ଟ୍ରି କରି ୧ଟଙ୍କା ପେମେଣ୍ଟ କରିଥିଲେ। ଏହାର କିଛି ସମୟ ପରେ ତାଙ୍କ ମୋବାଇଲକୁ ଟଙ୍କା କଟିବାର ୩ଟି ମେସେଜ ଆସିଥିଲା। ଏଥିରେ ତାଙ୍କ ପାଟଣାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଆକାଉଣ୍ଟରୁ ୧ ଲକ୍ଷ ୨୨ହଜାର, ଘଟଗଁାସ୍ଥିତ ତାରିଣୀ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ସାଲେରି ଆକାଉଣ୍ଟରୁ ୧ ଲକ୍ଷ ୩୩ ହଜାର ଓ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ କ୍ରେଡିଟ୍‌ କାର୍ଡରୁ ୯୮ ହଜାର ଟଙ୍କା ଚତୁରତା ସହ ସାଇବର ଠକ୍‌ ଉଠାଇ ନେଇଛନ୍ତି। ଗୁରୁବାର ସାରେ ଶିକ୍ଷକ ପାଟଣା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାକୁ ଯାଇ ଜଣାଇବା ପରେ ଆକାଉଣ୍ଟକୁ ବ୍ୟାଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା। ପରେ ସେ ପାଟଣା ଥାନା, କେନ୍ଦୁଝର ସାଇବର ଥାନା ଓ ଭୁବନେଶ୍ୱର ସାଇବର ମୁଖ୍ୟ ଥାନାରେ ଟୋଲ ଫ୍ରି ନମ୍ବର୍‌ ୧୯୩୦ରେ କଲ କରି ନ୍ୟାସନାଲ ସାଇବର ପ୍ରୋଟାଲରେ ଭୁବନେଶ୍ୱର ଶାଖା ଅଭିଯୋଗକୁ ପଞ୍ଜିକୃତ କରିଛନ୍ତି। ପାଟଣା ବିଇଓଙ୍କ ଆକାଉାଣ୍ଟକୁ ସାଇବର ଅପରାଧୀ ହ୍ୟାକ୍‌ କରି ପାଟଣା ବ୍ଲକ୍‌ର ଅନ୍ୟ ଶିକ୍ଷକଙ୍କୁ ଏଭଳି ମେସେଜ ପଠାଇଥିବା ଜଣାପଡ଼ିଛି। ବିଇଓ ଏହା ଜାଣିବା ପରେ ମୋବାଇଲର ସମସ୍ତ ଆପକୁ ଅନ ଇନ୍‌ଷ୍ଟାଲ କରିଥିବା କହିଛନ୍ତି।