ଲୋଇସିଂହା,୨୫।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ତେନ୍ତୁଲିଖୁଣ୍ଟି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଖୋଜ ଅଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ହେଲେ ଛବିରାଣୀ କିଷାନ । ତାଙ୍କର ୩ ରୁ ୪ ବର୍ଷର ସନ୍ତାନ ସହ ଗତ ଶନିବାରଠାରୁ ନିଖୋଜ ଅଛନ୍ତି। ଏନେଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ସୁନ୍ଦରଗଡ଼ରୁ ଆସି ଲୋଇସିଂହା ଥାନାରେ ନିଖୋଜ ନେଇ ଏକ ଏତଲା ଦେଇଥିବା ଆଇଆଇସି ସିପୋରସରାୟା ଲୁଗୁନ କହିଛନ୍ତୁି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକଙ୍କ ଘର ସୁନ୍ଦରଗଡ଼ ଜିଲା ଧାରୁଆଡିହ ବୋଲି ଜଣାପଡିଛି। ୨୦୨୩ ମସିହାରରେ ସେ ତେନ୍ତୁଲିଖୁଣ୍ଟି ବିଦ୍ୟାଳୟର ଯୋଗଦାନ କରିଥିଲେ। ବ୍ଲକ ମୁଖ୍ୟାଳୟରୁ ୧୦ କିମି ଦୂର ହେଉଥିବାରୁ ଶିକ୍ଷୟିତ୍ରୀ କିଷାନ ସେହି ଗାଁରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ସ୍ବାମୀ ସେନା ବାହିନୀରେ କାର୍ଯ୍ୟରତ ଥିବାରୁ ଛୁଟିରେ ଏଠାକୁ ଆସୁଥିଲେ। ହେଲେ ଶିକ୍ଷୟିତ୍ରୀ କିଷାନ ତାଙ୍କ ସନ୍ତାନଙ୍କୁ ଧରି ଗତ ଶନିବାରରୁ ଘରୁ କୁଆଡ଼େ ଚାଲିଯାଇଛନ୍ତି। ତାଙ୍କ ପତ୍ତା ମିଳି ପାରୁନାହିଁ। ଏନେଇ ଜାଣିଲା ପରେ ଶିକ୍ଷୟିତ୍ରୀ କିଷାନଙ୍କ ସ୍ବାମୀ ଲୋଇସିଂହା ଥାନାରେ ନିଖୋଜ ନେଇ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ସେହି ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ମଧ୍ୟ ଗତ ଦୁଇଦିନ ହେଲା ବିନା ଛୁଟି ଦରଖାସ୍ତରେ ସ୍କୁଲରେ ଅନୁପସ୍ଥିତ ରହିଥିବା ହସ୍ତଗତ ହୋଇଛି। ଏହା ଘଟଣା ବ୍ଲକର ଶିକ୍ଷକ ଓ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଅପରପକ୍ଷେ ଏହି ଘଟଣାକୁ ନେଇ ପୋଲିସ ଓ ଶିକ୍ଷା ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।