ନୂଆପଡ଼ା,୧ା୩ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତ ମାଉଳିଭଟା ଛକ ନିକଟରେ ଶନିବାର ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଉଳିଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସରସି ଯୋଶୀ (୪୯)।
ମିଳିଥିବା ସୂଚନା ମୁତାବକ, ଶନିବାର ବିଦ୍ୟାଳୟ ଛୁଟି ପରେ ସରସି ସ୍କୁଟିରେ ନୂଆପଡ଼ା ଘରକୁ ଫେରୁଥିଲେ। ଏହି ସମୟରେ ଏକ ପିକଅପ ଭ୍ୟାନ ଧକ୍କା ଦେବାରୁ ଶିକ୍ଷୟିତ୍ରୀ ଚକା ତଳେ ଚାପି ହୋଇ କିଛି ବାଟ ଘୋଷାଡି ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ମୁମୁର୍ଷୂ ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସଦର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶିକ୍ଷୟିତ୍ରୀଙ୍କ ଏକମାତ୍ର ପୁତ୍ର ବିକ୍ରାନ୍ତ ଯୋଶୀ ରାଜସ୍ଥାନର କୋଟାରେ ପାଠ ପଢୁଥିବାରୁ ରବିବାର ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।