ନୂଆଦିଲ୍ଲୀ,୧୧।୩: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ବର୍ତ୍ତମାନ କେବଳ ପ୍ରଥମ ୧୫ ଦିନର ସୂଚୀ ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକର ବିବରଣୀ ସାମ୍ନାକୁ ଆସିଛି।
IPL ୨୦୨୬ର ପ୍ରଥମ ମୁକାବିଲା ମାର୍ଚ୍ଚ ୨୮ ତାରିଖରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।
ଦେଶର ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି BCCI ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରିନାହିଁ। କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆସାମରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ମ୍ୟାଚ୍ର ସୂଚୀ ଜାରି କରାଯିବ। ସୁରକ୍ଷା ଓ ବ୍ୟବସ୍ଥାକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ପ୍ରଥମ ୧୫ ଦିନ ମଧ୍ୟରେ ଦୁଇଟି ’ଡବଲ ହେଡର୍’ (ଗୋଟିଏ ଦିନରେ ଦୁଇଟି ମ୍ୟାଚ) ଖେଳାଯିବ। ପ୍ରଥମ ଡବଲ ହେଡର୍ ୪ ଏପ୍ରିଲରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଡବଲ ହେଡର୍ ୫ ଏପ୍ରିଲରେ ଖେଳାଯିବ।
ପ୍ରଥମ ୫ ଦିନ ମଧ୍ୟରେ ସମସ୍ତ ୧୦ଟି ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ ଖେଳିସାରିବେ। ଏହାପରେ ଏପ୍ରିଲ ୨ରୁ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଆରମ୍ଭ ହେବ। ଏହି ୧୫ ଦିନ ମଧ୍ୟରେ ମୋଟ ୧୦ଟି ଭିନ୍ନ ଭିନ୍ନ ସହରରେ ଆଇପିଏଲ ମ୍ୟାଚ ଆୟୋଜିତ ହେବ। ଏଥିମଧ୍ୟରେ କୋଲକାତା ଏବଂ ଗୌହାଟିରେ ସର୍ବାଧିକ ୩ଟି ଲେଖାଏ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଅନ୍ୟ ସ୍ଥାନରେ ୨ଟି ଲେଖାଏ ମ୍ୟାଚ୍ ଅନୁଷ୍ଠିତ ହେବ।