ଟାରିଫ୍‌ ଅନିଶ୍ଚିତ, ବଜାର ଧରାଶାୟୀ: ପୁଣି ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ଓ୍ବାଶିଂଟନ୍‌/ମୁମ୍ବାଇ,୨୫ା୨:(ବ୍ଲୁମ୍‌ବର୍ଗ/ଏଜେନ୍ସି):ଆମେରିକା ସହ ଭାରତର ଟ୍ରେଡ୍‌ ଡିଲ୍‌କୁ ନେଇ ଅନିଶ୍ଚିତତା ସାଙ୍ଗକୁ ଦୁର୍ବଳ ବୈଶ୍ୱିକ ସଙ୍କେତ ଯୋଗୁ ମଙ୍ଗଳବାର ସେନ୍‌ସେକ୍ସ ଓ ନିଫ୍ଟି ୫୦ ଯଥାକ୍ରମେ ୧.୨୮% ଏବଂ ୧.୧୨% ତଳକୁ ଖସିଛି। ମିଡ୍‌ କ୍ୟାପ୍‌ ଓ ସ୍ମଲ୍‌ କ୍ୟାପ୍‌ ଇଣ୍ଡାଇସେସ୍‌ କାରବାର ମଧ୍ୟ ନେଗେଟିଭ୍‌ ଟେରିଟୋରିରେ ଶେଷ ହୋଇଛି। ଏହି କାରଣରୁ ନିବେଶକମାନେ ୪.୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦେଶର ସୁପ୍ରିମକୋର୍ଟଙ୍କ ଟାରିଫ୍‌ ରଦ୍ଦ ରାୟ ପରେ ଦେଇଥିବା ଚେତାବନୀକୁ ମାର୍କେଟ ଧରାଶାୟୀ ହେବାର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି।
ବ୍ଲୁମ୍‌ବର୍ଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍‌ ପ୍ରଶାସନ ଟ୍ରେଡ୍‌ ଏକ୍ସପାନ୍‌ସନ୍‌ ଆଇନ, ୧୯୬୨ର ଧାରା ୨୩୨ର ପ୍ରୟୋଗ କରି ସୁପ୍ରିମକୋର୍ଟଙ୍କ ରାୟକୁ ପଲଟାଇବା ପାଇଁ ଯୋଜନା କରୁଛି। କେବଳ ଏତିକି ନୁହେଁ, ଟ୍ରମ୍ପ୍‌ ନିଜେ ମଧ୍ୟ ଆମେରିକା ସହ ବାଣିଜି୍ୟକ କାରବାର କରୁଥିବା ଦେଶଗୁଡ଼ିକୁ ଖୋଲା ଚେତାବନୀ ଦେଇଛନ୍ତି। ଯେଉଁ ଦେଶଗୁଡ଼ିକ ସୁପ୍ରିମକୋର୍ଟ ରାୟ ସପକ୍ଷରେ ଯାଇ ଟାରିଫ୍‌ ହ୍ରାସ ପାଇଁ ମୂଲଚାଲ କରିବାକୁ ଅଗଭର ହେଉଛନ୍ତି କିମ୍ବା ପୂର୍ବରୁ ସମ୍ପନ୍ନ ହୋଇସାରିଥିବା ଟ୍ରେଡ୍‌ ଡିଲ୍‌କୁ ଦୁର୍ବଳ କରିବାକୁ ଚିନ୍ତା କରୁଛନ୍ତି, ସେହି ରାଷ୍ଟ୍ରଗୁଡ଼ିକ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଆହୁରି ଉଚ୍ଚ ଟାରିଫ୍‌ର ସମ୍ମୁଖୀନ ହୋଇପାରନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ଟ୍ରମ୍ପ୍‌ଙ୍କ ଚେତାବନୀ ପରେ ଆଇଟି ସେକ୍ଟରର ଷ୍ଟକ୍ସ ସର୍ବାଧିକ ପ୍ରଭାବିତ ହୋଇଛି। ଏତିକି ନୁହେଁ, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଦୁର୍ବଳ ହୋଇଛି। ସୋମବାର କାରବାର ବେଳେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୯୦.୯୫କୁ ଖସିଥିବାବେଳେ ଦିନେ ଦୁଇଦିନ ମଧ୍ୟରେ ଏହା ୯୧କୁ ଖସିବା ଅନୁମାନ କରାଯାଉଛି। ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ଏସୀୟ ମୁଦ୍ରା ଟଙ୍କା ଚାପଗ୍ରସ୍ତ ହୋଇଯାଇଥିବାରୁ ଏହାର ଗତିବିଧି ଉପରେ ବଜାର ନଜର ରଖିଛି।

 

Dharitri – Odisha’s No.1 Odia Daily

 

Share