ମେକ୍ସିକୋ ଉପରେ ଟାରିଫ୍‌ ମାସେ ସ୍ଥଗିତ

ଓ୍ବାଶିଂଟନ୍‌/ଓଟାଓ୍ବା,୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମେକ୍ସିକୋରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଶନିବାର ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ, ଯାହାକି ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଥାନ୍ତା। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେଇନ୍‌ବମ୍‌ ସୋମବାର ଟ୍ରମ୍ପ୍‌ଙ୍କ ସହିତ ଟେଲିଫୋନ୍‌ ଯୋଗେ କଥାହୋଇ ସୀମା ସୁରକ୍ଷିତ ରଖିବାକୁ ରାଜି ହୋଇଥିଲେ। ଫଳରେ ମାସେ ପାଇଁ ଟାରିଫ୍‌ ସ୍ଥଗିତ ରଖିବାକୁ ଟ୍ରମ୍ପ୍‌ ସହମତ ହୋଇଛନ୍ତି। ଉତ୍ତର ସୀମା ଦେଇ ଆମେରିକାକୁ ଫେଣ୍ଟାନିଲ୍‌ ଭଳି ବେଆଇନ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ଦିଗରେ ଉଭୟ ଦେଶ ଏକାଠି କାର୍ଯ୍ୟ କରିବେ। ସେହିପରି ମେକ୍ସିକୋକୁ ଉଚ୍ଚ କ୍ଷମତାସମ୍ପନ୍ନ ଅସ୍ତ୍ର ଚୋରାଚାଲାଣ ବନ୍ଦ ଦିଗରେ କାର୍ଯ୍ୟ କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଥିବା କ୍ଲାଉଡ଼ିଆ କହିଛନ୍ତି।
ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିରୋଧରେ କାନାଡା ମୁକାବିଲାମୂଳକ ଅଭିମୁଖ୍ୟ ନେଇଥିତ୍ବାରୁ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। କାନାଡାର ଓଣ୍ଟାରିଓ ପ୍ରଦେଶ ଆମେରିକା କମ୍ପାନୀ ଏବଂ ଏଲନ୍‌ ମସ୍କଙ୍କ ଷ୍ଟାର୍‌ଲିଙ୍କ୍‌ ସେବାକୁ ସୋମବାର ବ୍ୟାନ୍‌ କରିଦେଇଛି। ଫଳରେ ଷ୍ଟାର୍‌ଲିଙ୍କ୍‌ର ୧୦୦ ନିୟୁତ ଡଲାରର ଡିଲ୍‌ ରଦ୍ଦ ହେବାକୁ ଯାଉଛି। କାନାଡା ଉପରେ ଟ୍ରମ୍ପ୍‌ ପ୍ରଶାସନ ଲଗାଇଥିବା ଟାରିଫ୍‌ ନ ଉଠାଇବା ଯାଏ ବ୍ୟାନ୍‌ ବଳବତ୍ତର ରହିବ ବୋଲି ଓଣ୍ଟାରିଓ ରାଜ୍ୟର ଶାସନ ମୁଖ୍ୟ ଡୋଉଗ୍‌ ଫୋର୍ଡ କହିଛନ୍ତି।

Share