Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁ ଚାଇନା ଏବେ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଦେବାକୁ ପଡ଼ିବ। ଆମେରିକାର ଆମଦାନୀ ହୋଇଥିବା ଖଣିଜ ପଦାର୍ଥ ଏବଂ ସେଥିରୁ ତିଆରି ଉତ୍ପାଦ ଉପରେ ନିର୍ଭରଶୀଳତା ଯୋଗୁ ସୃଷ୍ଟି ହେଉଥିବା ବିପଦର ଯାଞ୍ଚ୍‌ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିବା ପରେ ଏହି ସୂଚନା ସାମ୍ନାକୁ ଆସିଛି।

ଏହି ଦଲିଲରେ ଟ୍ରମ୍ପଙ୍କ ଦାବି ଉଦ୍ଧୃତ କରାଯାଇଛି,ବିଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ଅତ୍ୟଧିକ ନିର୍ଭରଶୀଳତା ଏବଂ ସେମାନଙ୍କର ନିମ୍ନମାନର ଉତ୍ପାଦଗୁଡ଼ିକ ଆମେରିକାର ପ୍ରତିରକ୍ଷା କ୍ଷମତା, ଭିତ୍ତିଭୂମି ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନକୁ ବିପଦରେ ପକାଇପାରେ।

ଏହି ଆଦେଶରେ କୁହାଯାଇଛି, ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛି ଏବଂ ଯେଉଁ ଦେଶ ସହିତ ଆମେରିକାର ସର୍ବାଧିକ ବାଣିଜ୍ୟ ନିଅଣ୍ଟ ଅଛି ସେମାନଙ୍କ ଉପରେ ପାରସ୍ପରିକ ଭାବରେ ଅଧିକ ଟାରିଫ୍‌ ଲାଗୁ କରିଛି।

ହ୍ବାଇଟ ହାଉସ କହିଛି, ୭୫ରୁ ଅଧିକ ଦେଶ ନୂତନ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିବା ପାଇଁ ପୂର୍ବରୁ ଯୋଗାଯୋଗ କରିସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି, ଚାଇନା ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ଉପରେ ପ୍ରତିଶୋଧମୂଳକ ଟାରିଫ୍‌କୁ ଆପାତତଃ ସ୍ଥଗିତ ରଖାଯାଇଛି।

ଆମେରିକା ଅନୁଯାୟୀ, ଚାଇନା ପ୍ରତିଶୋଧ ନେଇଛି ଏବଂ ତେଣୁ ଆମେରିକାରେ ଆମଦାନୀ ହେଉଥିବା ଚାଇନା ଉତ୍ପାଦ ଉପରେ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲାଗୁ କରାଯିବ।

Share