ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍ ରହିଥିଲା ବେଳେ ଏବେ ଏହା ୧୮%କୁ ଖସିଛି। ରୁଷିଆରୁ ଭାରତ ତୈଳ ଆମଦାନୀ ବନ୍ଦ କରିବାକୁ କହିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟାରିଫ୍ ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସ୍ବାଗତ କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପରେ ଭାରତୀୟ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି।ଶିଳ୍ପପତି ଓ ରପ୍ତାନି ଉଦ୍ୟୋଗପତି ଟାରିଫ୍ ହ୍ରାସକୁ ସ୍ବାଗତ କରିଛନ୍ତି। ପୂର୍ବରୁ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଟାରିଫ୍କୁ ନେଇ ଭାରତୀୟ ରପ୍ତାନି ଉଦ୍ୟୋଗ କ୍ଷେତ୍ର ଚିନ୍ତାରେ ପଡ଼ିଥିଲା। ଅଧିକ ଟାରିଫ୍ ଯୋଗୁ ଭାରତୀୟ ସାମଗ୍ରୀ ମୂଲ୍ୟ ବଢିବା ସହ ଆମେରିକାକୁ ରପ୍ତାନି ହ୍ରାସ ପାଇବ ବୋଲି ଆଶଙ୍କା ଥିଲା। କିନ୍ତୁ ଟାରିଫ୍ ଘୋଷଣା ପରେ ଏହି ଆଶଙ୍କା ଦୂର ହୋଇଛି। ଏହିକ୍ରମରେ ମଙ୍ଗଳବାର ଶେୟାର ବଜାରରେ ମଧ୍ୟ ଅନୁକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ବଢିଛି। ହେଲେ ଟାରିଫ୍ ହ୍ରାସ ଦ୍ୱାରା ଭାରତୀୟ ବଜାର ଉପରେ ତେଲ ବୋଝ ପଡ଼ିପାରେ ବୋଲି ଆଶଙ୍କା ବଢ଼ିଛିି। କାରଣ ରୁଷିଆରୁ ଭାରତ ତେଲ ଆମଦାନୀ ବନ୍ଦ କରିବା ପରେ ନିଜର ଆବଶ୍ୟକ ତେଲ ଅନ୍ତର୍ଜାତୀୟ ବଜାରରୁ କିଣିବ। ଅନ୍ତର୍ଜାତୀୟ ବଜାର ମୁଖ୍ୟତଃ ବ୍ରେଣ୍ଟ୍ ଇଣ୍ଡେକ୍ସ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ବେଳେ ନୂଆଦିଲ୍ଲୀ ଆମେରିକା ତୈଳ କମ୍ପାନୀଗୁଡିକରୁ ତେଲ ଆମଦାନୀ କରିବାକୁ ବାଧ୍ୟ ହେବ। ଫଳରେ ଭାରତକୁ ଅଧିକ ଅର୍ଥ ପୈଠ କରିବାକୁ ପଡ଼ିବ। ବର୍ତ୍ତମାନ ଭାରତ ରୁଷିଆରୁ ବ୍ୟାରେଲ୍ ପିଛା ୫୦ରୁ ୫୫ ଡଲାରରେ ତୈଳ ଆମଦାନୀ କରୁଛି। କିନ୍ତୁ ଅନ୍ତର୍ଜାତୀୟ ବଜାରରୁ ତୈଳ ଆମଦାନୀ କଲେ ବ୍ୟାରେଲ୍ ପିଛା ୬୨ରୁ ୬୫ ଡଲାର ପୈଠ କରିବ। ବ୍ୟାରେଲ୍ ପିଛା ୭ରୁ ୧୨ ଡଲାର ଅଧିକ ମୂଲ୍ୟରେ ତୈଲ କିଣିବା ସହିତ ପରିବହନ ଏବଂ ବୀମା ଖର୍ଚ୍ଚ ଯୋଡିଲେ ଭାରତର ତୈଳ ଆମଦାନୀ ଉପରେ ସାମଗ୍ରିକ ଭାବେ ୯ରୁ ୧୨ ବିଲିୟନ ଡଲାରର ବୋଝ ପଡ଼ିବ ବୋଲି ବିଶ୍ଳେଷକମାନେ ଅନୁମାନ ଲଗାଇଲେଣି। ଏହି ବୋଝ ଭରଣା କରିବାକୁ ଭାରତୀୟ ତୈଳ ବିପଣନକାରୀ କମ୍ପାନୀ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବେ। ଫଳରେ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିବାର ଆଶଙ୍କା ବଢିଛି।