ଦାରିଙ୍ଗବାଡି, ୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି। ଉକ୍ତ ଘାଟି ରାସ୍ତାର ଏକ ବୁଲାଣିରେ ଟ୍ୟାଙ୍କର ଫସିଯିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଏକ ପିଚୁ ବୋଝେଇ ଟ୍ୟାଙ୍କର ବୁଲାଣି ରାସ୍ତାରେ ବୁଲାଇ ନ ପାରି ସିଧା ଯିବାକୁ ଚେଷ୍ଟା କରିଥିଲା, ଫଳରେ ଖସିଯିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ଟ୍ୟାଙ୍କରଟି ରକ୍ଷା ପାଇଯାଇଥିଲା। କିନ୍ତୁ ଏହା ଫସି ରହିଥିବାରୁ ଘାଟି ରାସ୍ତାର ଉଭୟ ପାଖରେ ବହୁ ଛୋଟ, ବଡ଼ ଗାଡି ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ପର୍ଯ୍ୟଟକ ମାନେ ପରିବାର ସହ ଘାଟି ଓ ଜଙ୍ଗଲ ମଧ୍ୟରେ ଭୋକ ଉପାସରେ ଫସି ରହିଥିବା ଜଣାପଡିଛି।ଖବର ଲେଖିବା ସୁଦ୍ଧା ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିବା ଜଣାପଡିଛି।