ଦିଗପହଣ୍ଡି,୬/୬(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ନଂ ରାଜ୍ୟ ରାଜପଥର ବଜାଜ ଶୋ-ରୁମ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଟ୍ରକ୍ (ନଂ. ଓଆର ୦୫ ଏଟି-୫୭୪୫) ଦିଗପହଣ୍ଡି ଅଭିମୁଖେ ଆସୁଥିବା ବୁଲେଟ ମୋଟର ସାଇକେଲ (ନଂ. ଓଡ଼ି୦୭ ଏୱାଇ-୫୭୦୯) କୁ ମୁହାମୁହିଁ ଧକ୍କା ଦେବାରୁ ମାମୁଁ ଏବଂ ତାଙ୍କ ୨ ଭାଣିଜୀଙ୍କ ମୃତ୍ୟୁ ଘଟିଛି।ମୃତକମାନେ ହେଲେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ଜି.ତ୍ରିନାଥ ରେଡ୍ଡୀ(୩୬)ଏବଂ ତାଙ୍କ ଭାଣିଜି ଦ୍ୱୟ ହେଲେ ବ୍ରହ୍ମପୁର ସଦର ଥାନା ଗୌତମୀ ଗ୍ରାମର ବର୍ଷା ରେଡ୍ଡୀ(୧୬),କବିସୂର୍ଯ୍ୟନଗର ଥାନା ପଥରା ଗ୍ରାମର ରୁଦ୍ରିକା ରେଡ୍ଡୀ(୫)
ବ୍ରହ୍ମପୁରରୁ କାମସାରି ବାଇକ (ନଂ. ଓଡ଼ି୦୭ ଜେଡ୍ -୮୧୫୬) ଯୋଗେ ଗଜପତି ଜିଲା ମୋହନା ଥାନା ଡେଙ୍ଗମା ଗ୍ରାମର ଭାସ୍କର ବିଷୋୟୀ(୫୨) ଗାଁକୁ ଫେରୁଥିବା ବେଳେ ଅସାବଧାନତା କାରଣରୁ ରାସ୍ତା ଉପରେ ଦୁର୍ଘଟଣାଗସ୍ତ ହୋଇ ପଡ଼ିଥିବା ବୁଲେଟକୁ ଧକ୍କା ଦେବାରୁ ସେ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଯାଇ ଗୁରୁତର ଆହାତ ହୋଇଥିଲେ।ଖବରପାଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଉପସ୍ଥିତ ଡାକ୍ତର ତ୍ରିନାଥ ଏବଂ ତାଙ୍କ ୨ ଭାଣିଜୀଙ୍କୁ ମୃତ ଘୋଷଣା କରିଥଲେ।ଆହତ ଭାସ୍କରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଏନେଇ ପୋଲିସ ମକଦ୍ଦମା ରୁଜୁ କରିବାସହ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଓ ୨ଟି ବାଇକ ଜବତ କରିଛନ୍ତି।ଟ୍ୟାଙ୍କର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଭାଣିଜି ଦ୍ବୟ ପରିବାର ଲୋକଙ୍କ ସହ ମାମୁଁ ଘର ଗାଁ ଦକ୍ଷିଣପୁରକୁ ଏକ ଭୋଜି କାର୍ଯ୍ୟ ପାଇଁ ଆସିଥିଲେ। ଉଭୟଙ୍କ ପାଇ ନୂଆ ଡ୍ରେସ କିଣିବାକୁ ମାମୁଁ ତ୍ରିନାଥ ଦିଗପହଣ୍ଡି ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୩ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।