Categories: ଅନୁଗୋଳ

ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ ଡାକରା

ତାଳଚେର, ୩।୭(ନି.ପ୍ର.): ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନାହିଁ। ଫଳରେ ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଏବଂ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି। ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି।
କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଶନିବାର ଉପଜିଲାପାଳ ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ଆଲୋଚନାରୁ କୌଣସି ସୁଫଳ ମିଳିଲାନାହିଁ। ତେଣୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆନ୍ଦୋଳନ କରାଯିବ। ଗତ ବୈଠକରେ ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆନ୍ଦୋଳନକୁ ଏକମାସ ଘୁଞ୍ଚାଇ ଦିଆଯାଇଥିଲା। ଏହାସତ୍ତ୍ୱେ ସରକାରୀସ୍ତରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାର ତାରିଖ ସ୍ଥିର ହୋଇ ହୋଇ ନ ପାରିବା ପରିତାପର ବିଷୟ ବୋଲି କମିଟି ସଦସ୍ୟ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି।
ତାଳଚେର ମେଡିକାଲ କଲେଜ କରିବା ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟରେ କୋଠା ସହିତ ଆନୁଷଙ୍ଗିକ ଯନ୍ତ୍ରପାତି କ୍ରୟ କରାଯାଇଛି। ଦୀର୍ଘ ୫ବର୍ଷ ହେଲା କାମ ଶେଷ ହୋଇଥିବାବେଳେ ନୂତନ କୋଠା ଏବଂ ଯନ୍ତ୍ରପାତି ନଷ୍ଟ ହେବାକୁ ବସିଲାଣି। ହେଲେ ସରକାରୀ ଉଦାସୀନତା କାରଣରୁ ଏହାକୁ ମେଡିକାଲ କଲେଜ ମାନ୍ୟତା ମିଳୁ ନ ଥିବା ଅଭିଯୋଗ ହୋଇଆସୁଛି। ବନ୍ଦକୁ ସଫଳ କରିବା ପାଇଁ ତାଳଚେରର ବୁଦ୍ଧିଜୀବୀ, ଶ୍ରମିକ, ବ୍ୟବସାୟୀ, ଛାତ୍ର, ଯୁବକ ଏବଂ ତାଳଚେରବାସୀ ସହଯୋଗ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ବୈଠକରେ କ୍ରିୟାନୁଷ୍ଠାନ କମିଟି ଆବାହକ ପଦ୍ମଚରଣ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ସମିତିସଭ୍ୟ ବିନୋଦ ଲାଲ, ରଞ୍ଜିତ ମହାପାତ୍ର,ସୁନିଲ ବିଶ୍ୱାଳ,ଜିନେସ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।