‘ବୃହତ୍ତର ଆଫଗାନିସ୍ତାନ’ ମାନଚିତ୍ର ପ୍ରଦର୍ଶନ କଲା ତାଲିବାନ: ରାଗରେ ନାଲି ହୋଇଗଲା ପାକିସ୍ତାନ

ଭୁବନେଶ୍ୱର,୪।୧୨: ଆଫଗାନିସ୍ତାନର ତାଲିବାନ ଶାସକମାନେ ନାଙ୍ଗରହାର ପ୍ରଦେଶରେ ଜଣେ ପ୍ରମୁଖ ପସ୍ତୋ କବି ମତିଉଲ୍ଲା ତୁରାବଙ୍କ କବର ଉପରେ ଏକ ବିବାଦୀୟ “ବୃହତ୍ତର ଆଫଗାନିସ୍ତାନ” ମାନଚିତ୍ର ସ୍ଥାପନ କରିଛନ୍ତି। ଏହି ମାନଚିତ୍ରରେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବୃହତ ଅଂଶ ଏବଂ ଉତ୍ତର ବାଲୁଚିସ୍ତାନକୁ ଆଫଗାନିସ୍ତାନର ଅଂଶ ଭାବରେ ଦର୍ଶାଯାଇଛି।

ତାଲିବାନର ଏହି କାର୍ଯ୍ୟ ପାକିସ୍ତାନ ପାଇଁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ଭାବରେ ଦେଖାଯାଉଛି। କାରଣ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ପୂର୍ବରୁ ଉତ୍ତେଜନା ଲାଗି ରହିଛି, ଯାହାକି ଗତ ସପ୍ତାହରେ ପାକିସ୍ତାନ ଆଫଗାନିସ୍ତାନର ୩ଟି ପ୍ରଦେଶ ଉପରେ ବୋମାମାଡ଼ କରିଥିବା ବେଳେ ବହୁ ଶିଶୁ ଏବଂ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ପସ୍ତୋ କବି ମତିଉଲ୍ଲା ତୁରାବ, ଯାହାଙ୍କ କବର ଉପରେ ଏହି ମାନଚିତ୍ର ସ୍ଥାପିତ ହୋଇଛି, ସେ ଜଣେ ଜାତୀୟତାବାଦୀ ଓ ବିପ୍ଳବୀ କବି ଭାବରେ ପରିଚିତ। ତାଙ୍କୁ ଉଭୟ ଆଫଗାନିସ୍ତାନ ଏବଂ ପାକିସ୍ତାନର ପସ୍ତୋ ଭାଷାଭାଷୀ ଅଞ୍ଚଳରେ ବହୁଳ ଭାବରେ ଆଦର କରାଯାଏ। ତାଙ୍କର କବିତାଗୁଡ଼ିକ ସଂଘର୍ଷ, ଧୈର୍ଯ୍ୟ ଏବଂ ପସ୍ତୁନ୍‌ ପରିଚୟ ଭଳି ବିଷୟବସ୍ତୁ ଉପରେ ଆଧାରିତ।

୧୯୪୭ରେ ପାକିସ୍ତାନ ସୃଷ୍ଟି ହେବା ଦିନଠାରୁ ୨,୬୪୦ କିଲୋମିଟର ଲମ୍ବର ଡୁରାଣ୍ଡ ଲାଇନ୍‌ ସୀମାକୁ ଆଫଗାନିସ୍ତାନ କେବେବି ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇନାହିଁ, ଯାହା ଏହି ଉତ୍ତେଜନାର ମୁଖ୍ୟ କାରଣ।

ଏହି ଘଟଣାକୁ ନେଇ ତାଲିବାନର ବୈଦେଶିକ ମନ୍ତ୍ରଣାଳୟ କିମ୍ବା ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।