ନୂଆଦିଲ୍ଲୀ, ୨୭।୧: ଆଫଗାନିସ୍ତାନର ତାଲିବାନ ଶାସନ ଏକ ନୂତନ “ଅପରାଧିକ କାର୍ଯ୍ୟବିଧି ସଂହିତା” ଜାରି କରିଛି। ଏହି ନୂତନ ନିୟମ ଅନୁସାରେ ସମାଜକୁ ଚାରିଟି ଅଲଗା ଅଲଗା ଶ୍ରେଣୀରେ ବିଭକ୍ତ କରିଛି। ଯାହାକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ ଧାର୍ମିକ ଗୁରୁ ବା ମୁଲ୍ଲାମାନଙ୍କୁ ଅପରାଧ ପାଇଁ ବିଚାରରୁ ମୁକ୍ତି ଦିଆଯାଇଥିବା ବେଳେ ସାଧାରଣ ନାଗରିକଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି।
ନୂତନ ସଂହିତାର ଧାରା ୯ ଅନୁଯାୟୀ, ଆଫଗାନ ସମାଜକୁ ଧାର୍ମିକ ପଣ୍ଡିତ, ଅଭିଜାତ ଶ୍ରେଣୀ, ମଧ୍ୟବିତ୍ତ ଏବଂ ନିମ୍ନ ବର୍ଗ ଭାବେ ଚାରି ଭାଗରେ ବିଭକ୍ତ କରାଯାଇଛି। ଏହି ଚାରି ଶ୍ରେଣୀର ଲୋକମାନଙ୍କ ପାଇଁ ଅଲଗା ଦଣ୍ଡ ବିଧାନ ରହିଛି।
ମୁଲ୍ଲା ବା ଧାର୍ମିକ ପଣ୍ଡିତମାନେ କୌଣସି ଅପରାଧ କଲେ ସେମାନଙ୍କୁ କେବଳ ‘ଉପଦେଶ’ ଦିଆଯିବ। ଅଭିଜାତ ଶ୍ରେଣୀର ଲୋକଙ୍କୁ ମଧ୍ୟ କେବଳ ସମନ ଏବଂ ପରାମର୍ଶ ଦିଆଯିବ। ମଧ୍ୟବିତ୍ତ ଲୋକମାନଙ୍କୁ କାରାଦଣ୍ଡ ଭୋଗିବାକୁ ପଡିବ। ତେବେ ସବୁଠାରୁ ନିମ୍ନ ବର୍ଗ ମାନଙ୍କୁ କାରାଦଣ୍ଡ ସହ ଶାରୀରିକ ନିର୍ଯାତନା (ଚାବୁକ ମାଡ଼) ଦିଆଯିବ।
ଏହି ନିୟମାବଳୀରେ “ଦାସ” ଶବ୍ଦର ବ୍ୟବହାର କରାଯାଇ ଦାସ ପ୍ରଥାକୁ ଆଇନଗତ ସ୍ୱୀକୃତି ଦିଆଯାଇଥିବା କୁହାଯାଉଛି।
ମାନବାଧିକାର ସଂଗଠନ ‘ରାୱାଦାରୀ’ ଅନୁଯାୟୀ, ଏହି ଆଇନ ମଧ୍ୟଯୁଗୀୟ ବର୍ବରତା ସଦୃଶ। ଜାତୀୟ ପ୍ରତିରୋଧ ସାମ୍ମୁଖ୍ୟ ଏହାକୁ ଭାରତର ପୁରାତନ ‘ବ୍ରାହ୍ମଣ ଓ ଶୂଦ୍ର’ ବ୍ୟବସ୍ଥା ସହ ତୁଳନା କରି କହିଛି ଯେ, ଏଠାରେ ଉଚ୍ଚବର୍ଗ ସୁରକ୍ଷିତ ଏବଂ ଗରିବ ଶ୍ରେଣୀ ଶୋଷିତ ହେବେ।
ଏଭଳି କଠୋର ନିୟମ ଦ୍ୱାରା ଘରୋଇ ହିଂସାକୁ ପ୍ରୋତ୍ସାହନ ମିଳିବ। ପିତା ନିଜର ୧୦ ବର୍ଷର ପୁଅକୁ ପ୍ରାର୍ଥନା ନକରିବା ପାଇଁ ଶାରୀରିକ ଦଣ୍ଡ ଦେଇପାରିବେ। ମହିଳାମାନଙ୍କ ଦ୍ୱାରା ଲିଖିତ ୧୪୦ଟି ବହି ଏବଂ ୧୮ଟି ବିଷୟର ଶିକ୍ଷାଦାନ ଉପରେ ରୋକ ଲଗାଯାଇଛି।
ନିକଟରେ ଜଣେ ୧୩ ବର୍ଷର ବାଳକ ଦ୍ୱାରା ଖୋଲା ଆକାଶ ତଳେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, ଯାହାକୁ ପ୍ରାୟ ୮୦,୦୦୦ ଲୋକ ଦେଖିଥିଲେ।
ଏହି ନୂତନ ଆଇନ ଆଫଗାନିସ୍ତାନର ନ୍ୟାୟିକ ବ୍ୟବସ୍ଥାରେ ଅସମାନତା ଏବଂ ମାନବାଧିକାର ଉଲ୍ଲଂଘନକୁ ଆଇନଗତ ରୂପ ଦେଇଛି ବୋଲି ଆନ୍ତର୍ଜାତୀୟ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି।