ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: ଆମେରିକାକୁ କହିଲା ଭାରତ

ନୂଆଦିଲ୍ଲୀ,୧୭ା୩:ଆମେରିକା ମାଟିରେ ଖଲିସ୍ତାନୀ ଉଗ୍ରପନ୍ଥୀମାନେ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକା ଗୋଇନ୍ଦା ମୁଖ୍ୟ ତୁଲ୍‌ସୀ ଗାବାର୍ଡଙ୍କୁ ଜଣାଇଛନ୍ତି। ସୋମବାର ଗାବାର୍ଡଙ୍କ ସହ ବୈଠକରେ ରାଜନାଥ କହିଛନ୍ତି, ଖଲିସ୍ତାନୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି। ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରୁଥିବା ଏହି ସଂଗଠନକୁ ଭାରତରେ ବେଆଇନ ଘୋଷଣା କରାଯାଇଛି। ଏଭଳି ବେଆଇନ ସଂଗଠନ ବିରୋଧରେ ଆମେରିକା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ନୂଆଦିଲ୍ଲୀ କହିଛି।
ଆମେରିକା ଜାତୀୟ ଗୋଇନ୍ଦା ନିର୍ଦ୍ଦେଶକ ତୁଲ୍‌ସୀ ଗାବାର୍ଡ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତ-ଆମେରିକା ସହଭାଗିତାକୁ ଆହୁରି ନିବିଡ଼ କରାଇବା ପାଇଁ ପ୍ରତିରକ୍ଷା, ସୂଚନା ଆଦାନପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ରାଜନାଥ କହିଛନ୍ତି। ଗାବାର୍ଡ ରବିବାର ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କୁ ଭେଟି ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ଏବଂ ସୁରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଇସ୍‌ଲାମୀୟ ଆତଙ୍କବାଦ ଉଭୟ ଭାରତ ଓ ଆମେରିକା ପାଇଁ ବଡ଼ ବିପଦ ବୋଲି ଗାବାର୍ଡ କହିଛନ୍ତି। ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକାଠି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ଗାବାର୍ଡ କହିଥିଲେ, ଇସ୍‌ଲାମୀୟ ଆତଙ୍କବାଦୀ କେବଳ ଆମେରିକା କି ଭାରତକୁ ନୁହେଁ, ବରଂ ମଧ୍ୟପ୍ରାଚ୍ୟର ଅନେକ ଦେଶକୁ ପ୍ରଭାବିତ କରିଛି।