ନୂଆଦିଲ୍ଲୀ,୧୩।୨: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏବେ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିବ ବୋଲି ଏକ ଶୁଭ ସଂଯୋଗ ସୃଷ୍ଟି ହୋଇଛି। ଏହି ସଂଯୋଗର କାରଣ ସାଜିଛି ଜିମ୍ବାୱେ କ୍ରିକେଟ ଦଳ।
ଟି-୨୦ ବିଶ୍ୱକପ ୨୦୨୬ର ଏକ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପୂର୍ବତନ ଚାମ୍ପିଅନ ଅଷ୍ଟ୍ରେଲିଆକୁ ୨୩ ରନ୍ରେ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛି। କ୍ରିକେଟ ଇତିହାସରେ ଏହା ମାତ୍ର ତୃତୀୟ ଥର, ଯେଉଁଠାରେ ଜିମ୍ବାୱେ କୌଣସି ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ପୂର୍ବରୁ ଯେବେ ବି ଜିମ୍ବାୱେ ଅଷ୍ଟ୍ରେଲିଆକୁ ହରାଇଛି, ସେତେବେଳେ ଭାରତ ବିଶ୍ୱକପ ଟ୍ରଫି ନିଜ ନାମରେ କରିଛି।
ଜିମ୍ବାୱେର ବିଜୟ ଏବଂ ଭାରତର ଚାମ୍ପିଅନ ହେବାର ରେକର୍ଡ:
୧୯୮୩ ବିଶ୍ୱକପ: ଜିମ୍ବାୱେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ ପ୍ରଥମ ଥର ବିଶ୍ୱ ଚାମ୍ପିୟନ ହେଲା।
୨୦୦୭ ଟି-୨୦ ବିଶ୍ୱକପ: ଜିମ୍ବାୱେ ଦ୍ୱିତୀୟ ଥର ଅଷ୍ଟ୍ରେଲିଆକୁ ହରାଇଥିଲା ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଜିତିଲା।
୨୦୨୬ ଟି-୨୦ ବିଶ୍ୱକପ: ଜିମ୍ବାୱେ ପୁଣିଥରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି??? (ଭାରତ ପୁଣି ଇତିହାସ ଦୋହରାଇବ କି?)
ଭାରତୀୟ ଦଳର ଏପର୍ଯ୍ୟନ୍ତର ପ୍ରଦର୍ଶନ:
ଭାରତୀୟ ଦଳ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ଶକ୍ତିଶାଳୀ ସ୍ଥିତିରେ ରହିଛି:
୧. ପ୍ରଥମ ମ୍ୟାଚ୍: ଆମେରିକା (USA) କୁ ୨୯ ରନ୍ରେ ପରାସ୍ତ କରିଥିଲା।
୨. ଦ୍ୱିତୀୟ ମ୍ୟାଚ୍: ନାମିବିଆକୁ ୯୩ ରନ୍ର ବଡ଼ ବ୍ୟବଧାନରେ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି।
୩.ଆଗାମୀ ମହାଲଢ଼େଇ:ଆସନ୍ତା ୧୫ ଫେବୃଆରୀରେ କଲମ୍ବୋରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ପଡ଼ିଆକୁ ଓହ୍ଲାଇବ।
କ’ଣ ଇତିହାସ ଦୋହରାଇବ ଟିମ ଇଣ୍ଡିଆ?
ଯଦିଓ କ୍ରିକେଟ ଏକ ଅନିଶ୍ଚିତତାର ଖେଳ, ତଥାପି ଏହି ’ଜିମ୍ବାୱେ-ଅଷ୍ଟ୍ରେଲିଆ’ ସଂଯୋଗ ଭାରତୀୟ ପ୍ରଶଂସକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଯଦି ଚଳିତ ବିଶ୍ୱକପ ଜିତେ, ତେବେ ଟି-୨୦ ଇତିହାସରେ କ୍ରମାଗତ ଦୁଇଥର ଟ୍ରଫି ଜିତିବାରେ ଭାରତ ପ୍ରଥମ ଦଳ ହେବ।
Dharitri – Odisha’s No.1 Odia Daily