Categories: Home Leftଖେଳ

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ମିଚେଲ ଷ୍ଟାର୍କ ଟି୨୦ରୁ ଅବସର ନେବା ପରେ ୨୦୨୧ ଟୁର୍ନାମେଣ୍ଟ ବିଜେତା ତାଙ୍କ ସ୍ଥାନରେ ଜଣେ ବାମହାତୀ ପେସ୍‌ ବୋଲର ନ ନେବା ଲାଗି ସ୍ଥିର କରିଥିଲା। ଅଷ୍ଟ୍ରେଲିଆର ଗତ ୧୨ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଖେଳି ନ ଥିବା କୁପର କନୋଲିଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦଳରେ ସ୍ଥାନ ଦିଆଯାଇଛି। ଆଇସିସିର ଗତ ୬ଟି ଟି୨୦ ଇଭେଣ୍ଟ ମଧ୍ୟରୁ ଷ୍ଟାର୍ନ ମାତ୍ର ଗୋଟିଏରେ ଖେଳି ନ ଥିଲେ। ଗତ ବର୍ଷ ସେ ଏହି ଫର୍ମାଟରେ ଅନ୍ତର୍ଜାତୀସ୍ତରରୁ ଅବସର ନେଇଥିଲେ।

ଅଷ୍ଟ୍ରେଲିଆ ଫେବୃଆରୀ ୧୧ରେ କଲମ୍ୱୋଠାରେ ଆୟର୍ଲାଣ୍ଡକୁ ଭେଟି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିବ। ପରେ ଦଳ କାଣ୍ଡିଠାରେ ଫେବୃଆରୀ ୧୩ରେ ଜିମ୍ୱାଓ୍ୱେ ଏବଂ ଫେବୃଆରୀ ୧୬ରେ ଶ୍ରୀଲଙ୍କା ଏବଂ ଫେବୃଆରୀ ୨୦ରେ ଓଭାନ ସହ ମୁକାବିଲା କରିବ।

ଚଳିତ ମାସ ପରବର୍ତ୍ତୀ ଭାଗରେ ପ୍ୟାଟ କୁମିନ୍ସଙ୍କ ପିଠିରେ ସ୍କାନ କରାଯିବା ପରେ ସେ ଟୁର୍ନାମେଣ୍ଟ ଖେଳିବେ କି ନା ତାହା ସ୍ଥିର କରାଯିବ। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀରୁ ମୁକ୍ତି ପାଇବା ପରେ ଜୋଶ ହାଜେଲଉଡ୍‌ ଓ ଟିମ୍‌ ଡେଭିଡ୍‌ ଦଳକୁ ଫେରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନିୟମାନୁସାରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ ପାଇଁ ଅନୁମତି ରହିଛି। ଚଳିତମାସ ପରବର୍ତ୍ତୀ ଭାଗରେ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବ। ମାତ୍ର ଦଳ ଯଦି ଯୋଗ୍ୟତା ଅର୍ଜନ କରେ ତେବେ କେତୋଟି ସୁପର-୮ ମ୍ୟାଚ ଖେଳିବା ଲାଗି ଭାରତ ଗସ୍ତ କରିବ।

ଅଷ୍ଟ୍ରେଲିଆ ଦଳ: ମିଚେଲ ମାର୍ଶ (ଅଧିନାୟକ), ଜାଭିଅର ବାର୍ଟଲେଟ୍‌, କୁପର କନୋଲି, ପ୍ୟାଟ କୁମିନ୍ସ, ଟିମ୍‌ ଡେଭିଡ, କାମେରନ ଗ୍ରୀନ୍‌, ନାଥାନ ଏଲିସ, ଜୋଶ ହାଜେଲଉଡ୍‌, ଟ୍ରାଭିସ୍‌ ହେଡ୍‌, ଜୋଶ ଇଂଲିଶ, ମାଥ୍ୟୁ କୁହ୍ନେମାନ, ଗ୍ଲେନ ମାକ୍ସଓ୍ୱେଲ, ମାଥ୍ୟୁ ଶର୍ଟ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା।

 

Share
Tags: T20 World