Categories: Home Middleଖେଳ

ଟି-୨୦ ବିଶ୍ୱକପ୍ ୨୦୨୬: ବଡ଼ ବିପର୍ଯ୍ୟୟ ଘଟାଇଲା ଜିମ୍ବାୱେ; ଅଷ୍ଟ୍ରେଲିଆ ୨୩ ରନରେ ପରାସ୍ତ

କଲୋମ୍ବୋ,୧୩।୨: ଟି-୨୦ ବିଶ୍ୱକପ୍ ୨୦୨୬ର ୧୯ତମ ମ୍ୟାଚରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୩ ରନରେ ପରାସ୍ତ କରି ଜିମ୍ବାୱେ କ୍ରିକେଟ ଜଗତକୁ ଚକିତ କରିଦେଇଛି। କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ଜିମ୍ବାୱେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨ଟି ଉଇକେଟ୍ ହରାଇ ୧୬୯ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ବ୍ରାଏନ୍ ବେନେଟ୍ ସର୍ବାଧିକ ୬୪ ରନ୍ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଡିୱାନାସେ ମାରୁମାନି ଓ ରୟାନ୍ ବର୍ଲ ୩୫ ରନ୍ ଲେଖାଏଁ କରିଥିବାବେଳେ ଅଧିନାୟକ ସିକନ୍ଦର ରଜା ଶେଷ ଆଡକୁ ୨୫ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ।

୧୭୦ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାୱାରପ୍ଲେ ମଧ୍ୟରେ ଦଳ ମାତ୍ର ୩୮ ରନରେ ୪ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ୍ ହରାଇଥିଲା।

ଅଷ୍ଟ୍ରେଲିଆର ଷ୍ଟାର୍ ଖେଳାଳି ଫ୍ଲପ୍ ସବୁ ହୋଇଥିଲେ। ଜଶ୍ ଇଂଲିସ୍ (୮), ଟ୍ରାଭିସ୍ ହେଡ୍ (୧୭) ଓ ଗ୍ଲେନ୍ ମ୍ୟାକ୍ସୱେଲ (୩୧) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।କ୍ୟାମେରନ୍ ଗ୍ରୀନ୍ ଓ ଟିମ୍ ଡେଭିଡ୍ ଶୂନ୍ୟ ରନରେ ଆଉଟ୍ ହୋଇ ନିରାଶ କରିଥିଲେ।

ତେବେ ମ୍ୟାଟ୍ ରେନଶା (୬୫) ଏକାକୀ ଲଢ଼େଇ କରି ଦଳକୁ ଜିତାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଅନ୍ୟ କୌଣସି ବ୍ୟାଟରଙ୍କ ସହଯୋଗ ମିଳିନଥିଲା। ଶେଷରେ ୧୯.୩ ଓଭରରେ ଅଷ୍ଟ୍ରେଲିଆ ୧୪୬ ରନରେ ଅଲଆଉଟ୍ ହୋଇଯାଇଥିଲା।

ଜିମ୍ବାୱେ ପକ୍ଷରୁ ଘାତକ ବୋଲିଂ କରି ବ୍ଲେସିଂ ମୁଜାରବାନୀ ସର୍ବାଧିକ ୪ଟି ଉଇକେଟ୍ ନେଇଥିବା ବେଳେ ବ୍ରାଡ୍ ଇଭାନ୍ସ ୩ଟି ସଫଳତା ପାଇଥିଲେ। ମ୍ୟାଚର ଶେଷ ଉଇକେଟ୍ ଭାବେ ମାଥ୍ୟୁ କୁହ୍ନେମ୍ୟାନ୍ ରନ୍ ଆଉଟ୍ ହେବା ସହ ଜିମ୍ବାୱେ ୨୩ ରନର ଏକ ଐତିହାସିକ ବିଜୟ ଉତ୍ସବ ପାଳନ କରିଥିଲା।

Share