T୨୦ ବିଶ୍ୱକପ୍‌ ଫାଇନାଲ ଜିତିବା ଟିମ୍‌ ହେବ ମାଲାମାଲ, ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧।୩: କ୍ରିକେଟ ଜଗତର ନଜର ଆଜିର ଦିନ ଉପରେ ଅଟକିଛି। କାରଣ ରବିବାରରେ ଟି-୨୦ ବିଶ୍ୱକପ୍‌ ସୁପର-୮ ରାଉଣ୍ଡର ସବୁଠାରୁ ବଡ଼ ତଥା ଶେଷ ମୁକାବିଲା ଖେଳାଯିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ର ବିଜେତା ଦଳ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିବ।

୨୦୨୪ରେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ ଏବେ ନିଜର ଟାଇଟଲ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ଯଦି ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପହଞ୍ଚେ ଏବଂ ପରେ ଟ୍ରଫି ଜିତେ, ତେବେ କ୍ରିକେଟ ଇତିହାସରେ ଭାରତ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଟି-୨୦ ବିଶ୍ୱକପ ଜିତିବାର ଗୌରବ ହାସଲ କରିବ।

ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପୂର୍ବରୁ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି। ଆଜିର ମ୍ୟାଚ ପରେ ଚତୁର୍ଥ ଦଳର ଚିତ୍ର ସ୍ପଷ୍ଟ ହୋଇଯିବ। ୨୦୨୬ ଟି-୨୦ ବିଶ୍ୱକପ୍‌ର ପୁରସ୍କାର ରାଶିରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ମୋଟ ପ୍ରାଇଜ ମନି ପ୍ରାୟ ୧୨୦.୩୭ କୋଟି ଟଙ୍କା (୧୩.୫ ମିଲିୟନ ଡଲାର) ରଖାଯାଇଛି।

ବିଜେତା/ସ୍ଥାନ ଆନୁମାନିକ ପୁରସ୍କାର ରାଶି
ବିଜେତା (Champion) ପ୍ରାୟ ୨୭.୪୮ କୋଟି ଟଙ୍କା
ରନର୍ସଅପ୍ (Finalist) ପ୍ରାୟ ୧୪.୬୫ କୋଟି ଟଙ୍କା
ସେମିଫାଇନାଲିଷ୍ଟ ପ୍ରାୟ ୭.୨୪ କୋଟି ଟଙ୍କା
୫ମ ରୁ ୧୨ଶ ସ୍ଥାନ ପ୍ରାୟ ୩.୪୮ କୋଟି ଟଙ୍କା
୧୩ଶ ରୁ ୨୦ଶ ସ୍ଥାନ ପ୍ରାୟ ୨.୨୯ କୋଟି ଟଙ୍କା

ସୂଚନାଯୋଗ୍ୟ ଯେ, ୨୦୨୪ରେ ଭାରତ ବିଜେତା ହେବା ପରେ ୨୦ କୋଟି ଟଙ୍କା ପାଇଥିଲା, କିନ୍ତୁ ଏଥର ବିଜେତା ଦଳକୁ ପ୍ରାୟ ୭ କୋଟି ଟଙ୍କା ଅଧିକ ମିଳିବ। ଆଜିର ମ୍ୟାଚ ଉଭୟ ଦଳ ପାଇଁ କ୍ରିକେଟ ସମ୍ମାନ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Dharitri – Odisha’s No.1 Odia Daily

Share