ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପରେ ସେ ନ୍ୟୁଜିଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଫର୍ଗୁସନ ଏବଂ ତାଙ୍କ ପତ୍ନୀ ଏମା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ସ୍ବତନ୍ତ୍ର ମୁହୂର୍ତ୍ତରେ ନିଜ ପରିବାର ସହ ରହିବା ପାଇଁ ସେ ଛୁଟି ନେଇଛନ୍ତି। ଦଳର ମୁଖ୍ୟ କୋଚ ରବ୍ ୱାଲଟର କହିଛନ୍ତି ଯେ, ଏହା ଫର୍ଗୁସନଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ ଏବଂ ଦଳ ତାଙ୍କର ଏହି ନିଷ୍ପତ୍ତିରେ ସମ୍ପୂର୍ଣ୍ଣ ସହମତ।
ଲକି ଫର୍ଗୁସନ ଘରକୁ ଫେରିଥିବାରୁ ଫେବୃଆରୀ ୧୭ରେ ଚେନ୍ନାଇଠାରେ କାନାଡା ବିପକ୍ଷରେ ହେବାକୁ ଥିବା ଗ୍ରୁପ-ଡି’ର ଶେଷ ମ୍ୟାଚ୍ରେ ସେ ଖେଳିବେ ନାହିଁ। ତେବେ ଖୁସିର କଥା ହେଉଛି, ସେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ ପଡ଼ିନାହାନ୍ତି। ପ୍ଲାନ ଅନୁଯାୟୀ, ସେ ସୁପର-୮ ପର୍ଯ୍ୟାୟ ପୂର୍ବରୁ ପୁଣି ଦଳରେ ଯୋଗ ଦେବେ।
କୋଚ ୱାଲଟର ସ୍ପଷ୍ଟ କରିଛନ୍ତି ଯେ, ଫର୍ଗୁସନଙ୍କ ବଦଳରେ ବର୍ତ୍ତମାନ କୌଣସି ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ନାହିଁ। ଯଦି ଆବଶ୍ୟକତା ପଡ଼େ, ତେବେ ଦଳ ସହ ଥିବା ରିଜର୍ଭ ଖେଳାଳି ବେନ ସିୟର୍ସ ଏବଂ କୋଲ ମ୍ୟାକୋଞ୍ଚିଙ୍କୁ ସୁଯୋଗ ଦିଆଯାଇପାରେ।
ଟି-୨୦ ବିଶ୍ୱକପ ୨୦୨୬ରେ ଫର୍ଗୁସନ ଏପର୍ଯ୍ୟନ୍ତ ଚମତ୍କାର ଫର୍ମରେ ଅଛନ୍ତି। ସେ ୩ଟି ମ୍ୟାଚ୍ରୁ ୪ଟ ଉଇକେଟ ନେଇ ଦଳର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ସୁପର-୮ ପୂର୍ବରୁ ତାଙ୍କର ଦଳକୁ ଫେରିବା କିୱି ଟିମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।