କୋଲକାତା,୧।୩: ଟି-୨୦ ବିଶ୍ୱକପ ୨୦୨୬ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଆଜି(ରବିବାର) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ମଇଦାନରେ ଖେଳାଯାଉଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବ। ତେବେ ଏହି ମ୍ୟାଚ୍ ଏକ ନକଆଉଟ୍ ମୁକାବିଲା ଭଳି, କାରଣ ଯେଉଁ ଦଳ ଜିତିବ ସେ ସିଧାସଳଖ ସେମିଫାଇନାଲ ଟିକେଟ ହାସଲ କରିବ।
ସୂଚନା ଥାଉ କି,ଏହି ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଇଡେନ ଗାର୍ଡେନ୍ସରେ ଖେଳିବାକୁ ଓହ୍ଲାଇବ। ଅନ୍ୟପଟେ, ୱେଷ୍ଟଇଣ୍ଡିଜ ଦଳ ଚଳିତ ଟୁର୍ନାମେଣ୍ଟରେ ଏହି ମଇଦାନରେ ପୂର୍ବରୁ ୩ଟି ମ୍ୟାଚ ଖେଳିସାରିଛି ଏବଂ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପାଇଁ କ୍ୟାରିବିଆନ ଦଳକୁ ହରାଇବା ଏକ ବଡ଼ ଚ୍ୟାଲେଞ୍ଜ ହେବ।
ଯଦିଓ ୱେଷ୍ଟଇଣ୍ଡିଜ ଏହି ପିଚ୍ରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି, କିନ୍ତୁ ଇତିହାସ ଭାରତ ସପକ୍ଷରେ ରହିଛି।୧୯୮୩ ମସିହାର ଏପର୍ଯ୍ୟନ୍ତ ଇଡେନ ଗାର୍ଡେନ୍ସରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମୋଟ ୯ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ବିଶେଷ କଥା ହେଉଛି, ଭାରତ ଏହି ସମସ୍ତ ୯ଟି ଯାକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଗତ ୪୩ ବର୍ଷ ଧରି ୱେଷ୍ଟଇଣ୍ଡିଜ ଏହି ମଇଦାନରେ ଭାରତ ବିରୋଧରେ କୌଣସି ବି ଆନ୍ତର୍ଜାତୀୟ ମ୍ୟାଚ ଜିତିପାରି ନାହିଁ।
ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ବିଶ୍ୱକପ୍ର ଡିଫେଣ୍ଡିଂ ଚାମ୍ପିଅନ (ଗତଥରର ବିଜେତା)। ଅନ୍ୟପଟେ, ୱେଷ୍ଟଇଣ୍ଡିଜ ୨୦୧୬ରେ ଟି-୨୦ ବିଶ୍ୱକପ ଜିତିବା ପରେ ଏପର୍ଯ୍ୟନ୍ତ କୌଣସି ଆଇସିସି (ICC) ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚି ପାରିନାହିଁ। ଆଜିର ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ନିଜର ପୁରୁଣା ସ୍ମୃତି ଫେରାଇ ଆଣି ଇତିହାସ ବଦଳାଇବ ନା ଭାରତ ନିଜର ଦବଦବା ବଜାୟ ରଖି ସେମିଫାଇନାଲକୁ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପ୍ଲେଇଙ୍ଗ୍ ଇଲେଭେନ୍:
ୱେଷ୍ଟଇଣ୍ଡିଜ୍ ଦଳ:
ଶାଇ ହୋପ୍, ରଷ୍ଟନ ଚେଜ୍, ସିମରନ୍ ହେଟମାୟର, ରୋଭମ୍ୟାନ୍ ପାୱେଲ୍, ଶେରଫେନ୍ ରଦରଫୋର୍ଡ, ଜେସନ୍ ହୋଲ୍ଡର, ରୋମାରିଓ ଶେଫର୍ଡ, ମ୍ୟାଥ୍ୟୁ ଫୋର୍ଡେ, ଅକିଲ୍ ହୋସେନ୍, ଗୁଡାକେଶ ମୋତି ଏବଂ ଅଲଜାରୀ ଜୋସେଫ୍।
ଭାରତୀୟ ଦଳ:
ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ