ନୂଆଦିଲ୍ଲୀ,୨୪।୨: ପାଲ୍ଲେକେଲେଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ସୁପର-୮ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଟିକେଟ ହାସଲ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ୍କୁ ଇଂଲଣ୍ଡ ୨ ଉଇକେଟରେ ଜିତି ନେଇଛି। ଏହି ବିଜୟ ସହ ଇଂଲଣ୍ଡ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିବାବେଳେ ପାକିସ୍ତାନ ପାଇଁ ଟୁର୍ନାମେଣ୍ଟରୁ ବିଦା ହେବାର ସମ୍ଭାବନା ବଢ଼ିଯାଇଛି।
୧୬୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡର ଆରମ୍ଭ ଭଲ ନଥିଲା। ପାୱାର-ପ୍ଲେ ମଧ୍ୟରେ ଦଳ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇଥିଲା। କିନ୍ତୁ ଅଧିନାୟକ ହ୍ୟାରି ବ୍ରୁକ ଏବଂ ୱିଲ ଜ୍ୟାକ୍ସଙ୍କ ମଧ୍ୟରେ ହୋଇଥିବା ଦମଦାର ପାର୍ଟନରସିପ ଦଳକୁ ବିଜୟ ପଥକୁ ଫେରାଇଥିଲା।
ହ୍ୟାରି ବ୍ରୁକ ମାତ୍ର ୫୧ ବଲରୁ ୧୦୦ ରନ କରିଥିଲେ, ଯାହାକି ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ। ଇଂଲଣ୍ଡ ୫ ବଲ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଫଳରେ ଇଂଲଣ୍ଡ ଦଳ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୨୦୧୬, ୨୦୨୧, ୨୦୨୨, ୨୦୨୪ ଏବଂ ଏବେ ୨୦୨୬ରେ ଲଗାତାର ୫ମ ଥର ପାଇଁ ଦଳ ଟି-୨୦ ବିଶ୍ୱକପ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି।
ପାକିସ୍ତାନ ପକ୍ଷରୁ କେବଳ ସାହିବଜାଦା ଫରହାନଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟ କୌଣସି ବ୍ୟାଟର ୩୦ ରନର ସୀମା ମଧ୍ୟ ଅତିକ୍ରମ କରିପାରିନଥିଲେ, ଯାହାଫଳରେ ଦଳ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ସୁପର-୮ ଗ୍ରୁପ-ବିରୁ ଇଂଲଣ୍ଡ ନିଜ ସ୍ଥାନ ସୁରକ୍ଷିତ କରିସାରିଛି। ଏବେ ଦ୍ୱିତୀୟ ସ୍ଥାନ ପାଇଁ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଲଢ଼େଇ ଜାରି ରହିଛି। ପାକିସ୍ତାନ ୨ଟି ମ୍ୟାଚରୁ ମାତ୍ର ୧ ପଏଣ୍ଟ ପାଇଛି। ଏଣୁ ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ। ସେହିଭଳି ଯଦି କିୱି ଦଳ ନିଜର ଆଗାମୀ ଦୁଇଟି ମ୍ୟାଚ (ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷରେ) ଜିତିଯାଏ, ତେବେ ପାକିସ୍ତାନ ବିଶ୍ୱକପରୁ ବାହାର ହୋଇଯିବ।
Dharitri – Odisha’s No.1 Odia Daily