ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସୁପର-୮ ପର୍ଯ୍ୟାୟରେ ନିଜର ସ୍ଥାନ ପକ୍କା କରିଛି। ଅନ୍ୟପଟେ, ଏହି ପରାଜୟ ପରେ ପୂର୍ବତନ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିଶ୍ୱକପ୍ରୁ ବାଦ୍ ପଡ଼ିବା ଆଶଙ୍କା ଘନେଇଛି।
୧୮୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ମାତ୍ର ୧୮ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ନିସାଙ୍କା ମାତ୍ର ୫୨ ବଲ୍ରୁ ୧୦୦ ରନ୍ (୧୦ ଚୌକା, ୫ ଛକା) କରି ଅପରାଜିତ ରହିଥିଲେ। ତାଙ୍କୁ ସାଥ୍ ଦେଇଥିଲେ କୁଶଲ ମେଣ୍ଡିସ୍, ଯିଏ କି ୫୧ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ପବନ ରତ୍ନନାୟକେ ୨୮ ରନ୍ କରି ଅପରାଜିତ ରହିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଏକ ସୁନ୍ଦର ଆରମ୍ଭ କରିଥିଲା। ଅଧିନାୟକ ମିଚେଲ ମାର୍ଶ (୫୪) ଏବଂ ଟ୍ରାଭିସ୍ ହେଡ୍ (୫୬) ପ୍ରଥମ ୱିକେଟ୍ ପାଇଁ ୧୦୪ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ୍ ହେବା ପରେ ଦଳର ମଧ୍ୟକ୍ରମ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା ଏବଂ ପୂରା ଟିମ୍ ୧୮୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଅଷ୍ଟ୍ରେଲିଆ ପାଇଁ କଷ୍ଟକର ହେଲା ସୁପର-୮ ରାସ୍ତା। ଗ୍ରୁପ୍-ବି’ରେ ଅଷ୍ଟ୍ରେଲିଆ ଏବେ ୩ଟି ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ସହ ତୃତୀୟ ସ୍ଥାନରେ ରହିଛି। ଆଗାମୀ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଓମାନକୁ ଭେଟିବ।
ବର୍ତ୍ତମାନର ସମୀକରଣକୁ ଦେଖିଲେ ସୁପର-୮କୁ ଯିବା ପାଇଁ ଅଷ୍ଟ୍ରେଲିଆକୁ କେବଳ ଓମାନ ବିରୋଧରେ ବଡ଼ ବିଜୟ ହାସଲ କରିବାକୁ ହେବ ନାହିଁ, ବରଂ ଜିମ୍ବାୱେ ଏବଂ ଆୟର୍ଲାଣ୍ଡ ମ୍ୟାଚ୍ର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ। ଯଦି ଜିମ୍ବାୱେ ନିଜର ଆଗାମୀ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ହରାଇଦିଏ, ତେବେ ଅଷ୍ଟ୍ରେଲିଆ ବିଶ୍ୱକପ୍ରୁ ବିଦାୟ ନେବ।