ନୂଆଦିଲ୍ଲୀ,୬।୩: ଟି-୨୦ ବିଶ୍ୱକପ୍ ୨୦୨୬ର ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା ବେଳେ ଟିମ ମ୍ୟାନେଜମେଣ୍ଟ ପାଇଁ କିଛି ଗମ୍ଭୀର ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି। ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟର ଅଭିଷେକ ଶର୍ମା ଏବଂ ନମ୍ବର-୧ ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ଖରାପ ପ୍ରଦର୍ଶନ ଏବେ ଚିନ୍ତାର ବିଷୟ ପାଲଟିଛି। ଫଳରେ ଫାଇନାଲ ପୂର୍ବରୁ ପ୍ଲେଇଂ-୧୧ରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି।
ICC Rankingରେ ଶୀର୍ଷରେ ଥାଇ ମଧ୍ୟ ଅଭିଷେକ ଶର୍ମା ଏହି ଟୁର୍ନାମେଣ୍ଟରେ ନିଜ ନାମ ଅନୁସାରେ ପ୍ରଦର୍ଶନ କରିପାରି ନାହାନ୍ତି। ୭ଟି ମ୍ୟାଚରେ ସେ ମାତ୍ର ୮୯ ରନ କରିଛନ୍ତି। ତାଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ଆସିଥିବା ବେଳେ ବାକି ମ୍ୟାଚଗୁଡ଼ିକରେ ସେ ଶୀଘ୍ର ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ସ୍କ୍ବାର୍ଡରେ ରିଙ୍କୁ ସିଂଙ୍କ ଭଳି ଶକ୍ତିଶାଳୀ ଫିନିସର ଥିବା ଯୋଗୁ ଫାଇନାଲ ଭଳି ବଡ଼ ମ୍ୟାଚରେ ଅଭିଷେକଙ୍କ ସ୍ଥାନରେ କୌଣସି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି।
ଅପରପକ୍ଷେ ବୋଲିଂ ବିଭାଗରେ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସଂଘର୍ଷ କରୁଥିବା ନଜର ଆସିଛନ୍ତି। ଯଦିଓ ସେ ୮ଟି ମ୍ୟାଚରୁ ୧୩ ଉଇକେଟ ନେଇଛନ୍ତି, କିନ୍ତୁ ତାଙ୍କର ଇକୋନୋମି ରେଟ (୮.୮୫) ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମିଫାଇନାଲରେ ସେ ୪ ଓଭରରେ ୬୪ ରନ ବ୍ୟୟ କରିଛନ୍ତି, ଯାହା ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ପ୍ରଦର୍ଶନ।
ଅହମ୍ମଦାବାଦର ପିଚ ସ୍ପିନରଙ୍କ ପାଇଁ ସହାୟକ ହେଉଥିବାରୁ, ଅଭିଜ୍ଞ କୁଲଦୀପ ଯାଦବଙ୍କୁ ଫାଇନାଲରେ ସୁଯୋଗ ଦେବା ପାଇଁ ଦାବି ହେଉଛି।
ଭାରତୀୟ ଟିମ ମ୍ୟାନେଜମେଣ୍ଟ ପାଇଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନେ ନିଜର ନମ୍ବର-୧ ଖେଳାଳିଙ୍କ ଉପରେ ଭରସା ରଖିବେ ନା ଟ୍ରଫି ଜିତିବା ପାଇଁ କଠୋର ନିଷ୍ପତ୍ତି ନେଇ ପ୍ଲେଇଙ୍ଗ-୧୧ରେ ବଡ଼ ପରିବର୍ତ୍ତନ କରିବେ?
Dharitri – Odisha’s No.1 Odia Daily